(ବିପ୍ଲବୀ ପରିକ୍ରମା ବ୍ୟୁରୋ);ସନାତନ ଧର୍ମର ଏକ ପ୍ରମୁଖ ପର୍ବ ହେଉଛି ଧନତେରସ । କିନ୍ତୁ ଏହି ପର୍ବ କାହିଁକି ପାଳନ କରାଯାଏ ? ଏନେଇ ଖୁବ୍ କମ ଲୋକ ଜାଣିଥିବେ । ଧନତେରସ ଦିନ ଅଧିକାଂଶ ଲୋକ ସୁନା-ଚାନ୍ଦୀର ଅଳଙ୍କାର ମାନ କିଣିଥାନ୍ତି । କିନ୍ତୁ କାହିଁକି? କାରଣ କଣ? କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ଏହିଦିନ ଲୋକେ ନୂତନ ବାସନ ଏବଂ ସୁନା ଓ ଚାନ୍ଦିର ଅଳଙ୍କାରମାନ କିଣିଥାନ୍ତି । ବିଶ୍ୱାସ ରହିଛି କି ଏହିଦିନ ସମୁଦ୍ର ମନ୍ଥନ ଅବସରରେ , ଅମୃତ କଳଶ ନେଇ ଭଗବାନ ବିଷ୍ଣୁ ହିଁ ଧନବନ୍ତରୀ ରୂପେ ପ୍ରକଟ ହୋଇଥିଲେ । ଏଥିପାଇଁ ଏହି ଦିନକୁ ଧନତେରସ ରୂପେ ପାଳନ କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ , ଧନବନ୍ତରୀ ପ୍ରକଟ ହେବାର ଦୁଇ ଦିନ ପରେ ମା’ଲକ୍ଷ୍ମୀ ପ୍ରକଟ ହୋଇଥିଲେ । ସେଥିପାଇଁ ଦୀପାବଳୀର ଦୁଇ ଦିନ ପୂର୍ବରୁ ଧନତେରସ ପାଳନ କରାଯାଏ । ଏହିଦିନ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଧନବନ୍ତରୀଙ୍କ ଉପାସନା କରାଯାଏ । ସେହିପରି ଏହିଦିନକୁ କୁବେରଙ୍କ ଦିନ ମଧ୍ୟ କୁହାଯାଏ ଏବଂ ଧନ ବୃଦ୍ଧି ପାଇଁ କୁବେରଙ୍କ ପୂଜା କରାଯାଏ । ଏଣୁ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି । ଆଜି ଦିନକରେ ଶହ ଶହ କୋଟି ଟଙ୍କାର କାରବାର ହେବ ବୋଲି ବିଶ୍ୱାସ ରହିଛି । ଓଡ଼ିଶାରେ ବର୍ଷତମାମ ଯେତିକି ସୁନା ବିକ୍ରି ହୋଇଥାଏ ତାହାର ଏକ ବଡ଼ ଭାଗ ଅକ୍ଷୟ ତୃତୀୟା ଓ ଧନତେରାସ ଦିନ ବିକ୍ରି ହୋଇଥାଏ ।