ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ, ମେରୁ ସଙ୍କରାନ୍ତି ଏବଂ ହନୁମାନ ଜୟନ୍ତୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ । ଓଡ଼ିଆମାନେ ଆଜିର ଦିନକୁ ନୂଆ ବର୍ଷ ଭାବେ ପାଳନ କରନ୍ତି । ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଆଜିଠୁ ଶୁଭାରମ୍ଭ ହୁଏ ଓଡିଆ ନବ ବର୍ଷ। ପ୍ରତି ବର୍ଷ ଏପ୍ରିଲ ୧୪ ତାରିଖରେ ଏହି ଦିନ ପଡିଥାଏ। ନୂଆ ବର୍ଷ ଉପଲକ୍ଷେ ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା। ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ହେଲା, ଏହିଦିନ ସୂର୍ଯ୍ୟ ଖଗୋଳ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି, ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ । ଆଜି ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ । ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କ ଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ ।

ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏଥିସହ ନବ ବର୍ଷ ଆରମ୍ଭ ହେଉଥିବାରୁ ଦେବାଦେବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଘରେ ଘରେ ପଣା ପ୍ରସ୍ତୁତ ହୁଏ। ପଣା ଭିତରେ ବେଲ ପଣା, ଆମ୍ବ ପଣାର ଚାହିଦା ଅଧିକା। ଏଥିସହ ଆଜି ଏକ ଛୋଟ ଠେକିରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ। ଏଥିରେ ଛୋଟ କଣା କରାଯାଇ ବୃନ୍ଦାବତୀଙ୍କୁ ପାଣି ଦିଆଯାଏ।ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ ।

ଆଜି ଆଉ ଏକ ପବିତ୍ର ଦିନ, ମହାବୀର ହନୁମାନଙ୍କ ଜୟନ୍ତୀ। ବୀର ବଜରଙ୍ଗଙ୍କ ଜନ୍ମତ୍ସୋବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସେହିଭଳି ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।

ସେହିଭଳି ଆଜି ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ ର ଶେଷ ଦିନ l ୨୧ ଦିନ, ୧୮ ଦିନ, ୧୪ ଦିନ, ୧୩ ଦିନ ଧରି ବାହାରିଥିବା ଦଣ୍ଡ ନାଚର ଆଜି ହେଉଛି ଅନ୍ତିମ ଦିବସ l ଆଜି ପରମ୍ପରା ଅନୁଯାୟୀ ସମସ୍ତ ଵିଧି ବିଧାନ ହେବା ପରେ ପାଟ ଭୁଗୁତାଙ୍କୁ ମେରୁ କୁଣ୍ଡ ରେ ଓହଳା ଯାଇଥାଏ, ଯାହା ମେରୁ ଯାତ୍ରା ନାମରେ ପରିଚିତ l ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ସମସ୍ତେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here