ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଛି । ରଥାରୂଢ ହେଲେ ୩ ଠାକୁର । ରଥରେ ଅନ୍ୟାନ୍ୟ ନୀତିକାନ୍ତି ପରେ ରଥଟଣା ଆରମ୍ଭ ହେବ । ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରି ଯିବେ ଚତୁର୍ଦ୍ଧାମୂର୍ତ୍ତି । ଏବେ ଏବେ ପୁରୀ ମହାରାଜା ଗଜପତି ଦିବ୍ୟ ସିଂହ ଦେବ ଶ୍ରୀ ନନ୍ଦିଘୋଷ ରଥ ପାଖେ ପହଂଚି ଛେରା ପହଁରା କାର୍ଯ୍ୟ ଆରମ୍ଭ କରିବେ ଏବଂ କିଛି ସମୟ ପରେ ମାଉସୀ ମା’ ଘର ଯିବା ଅଭିମୁଖେ ବାହାରିବେ ମହାବାହୁ l
ଆଜି ହେଉଛି ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା । ସେ କୋଟି ବ୍ରହ୍ମାଣ୍ଡର ମଉଡମଣି । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ବାହାରି ପଡିବେ କାଳିଆ ସାଆନ୍ତେ । ରଥ ପଥ ସବୁ କିଛି ପ୍ରସ୍ତୁତ । ଆକାଶରୁ ଝରି ପଡୁଛି ପୁଷ୍ପରୂପି ବର୍ଷା । ଆଉ ମହାପ୍ରଭୁଙ୍କ ଆଗମନ ପାଇଁ ଯେମିତି ଚାହିଁ ରହିଛି ଏ ଜଗତ ହଜାର ହଜାର ଭକ୍ତଙ୍କ ଲାଗିଲାଣି ଗହଳି । ସେପଟେ ବଡଦାଣ୍ଡ ଭକ୍ତିମୟ ହୋଇ ଉଠିଛି । ଝାଞ୍ଜ, କୀର୍ତ୍ତନ, ଜୟ ଜଗନ୍ନାଥ ଧ୍ବନିରେ ବଡ ଦାଣ୍ଡ କମ୍ପୁଛି । ଅନେକ ଭକ୍ତ ଭଗବାନ ବିଭିନ୍ନ ସ୍ଵରୂପ ବେଶ ହୋଇ ମହାପ୍ରଭୁଙ୍କ ରଥ ଆଗରେ ନୃତ୍ୟ ପରିବେଷଣ କରି ମହାପ୍ରଭୁଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଇଛନ୍ତି । ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ମହାପ୍ରଭୁଙ୍କ ରଥ ଆଗରେ ନିଜର ନୃତ୍ୟ ପରିବେଷଣ କରି ନିଜକୁ ଧନ୍ୟ ମନେ କରୁଛନ୍ତି ।
ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ଜଗା ପାଇଁ ଜନଜୁଆର ବଡଦାଣ୍ଡରେ ଲହଡି ପିଟୁଛି । ଭକ୍ତିର ବଡଦାଣ୍ଡରେ ଭକ୍ତର ଭାବର ଜୁଆର ମହାପ୍ରଭୁଙ୍କ ଆଡକୁ ମାଡି ଯାଉଛି । କିଲୋମିଟର କିଲୋମିଟର ଯାଏଁ ଭିଡ । ଯୁଆଡେ ଚାହିଁଲେ ମାଳମାଳ ମୁଣ୍ଡ । କିଏ ଜଗା ପାଇଁ ଅପେକ୍ଷା କରିଛି ତ କିଏ ଜଗା ପାଇଁ ନାଚୁଛି । ପୁଣି କିଏ ରଥ ଦଉଡି ଛୁଇଁ ପୂଣ୍ୟ ଅର୍ଜିବ ବୋଲି ଅପେକ୍ଷା କରିଛି । ଶ୍ରୀମନ୍ଦିର ଆଗରେ, ତିନି ରଥ ସାମ୍ନାରେ ଏତେ ଭିଡ ଜନଜୁଆର ସୃଷ୍ଟି କରିଛି ।