ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଚାରିଆଡେ ଜୟ ଶ୍ରୀ ରାମର ନାରା । ଭକ୍ତିମୟ ପରିବେଶରେ ଭାବବିହ୍ବଳ ଭକ୍ତ । ଆଜିର ଦିନରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ରାମ ନବମୀକୁ ନେଇ ଆଜି ସାରା ଦେଶ ଉତ୍ସବମୁଖର । ସେହିପରି ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟା ରାମ ମନ୍ଦିରରେ ଦ୍ୱିତୀୟ ଥର ରାମ ନବମୀ ମହୋତ୍ସବ ଆୟୋଜିତ ହେଉଥିବାରୁ ଚଳଚଞ୍ଚଳ ରହିଛି ରାମ ନଗରୀ । ସଜେଇ ହୋଇଛି ସାରା ଅଯୋଧ୍ୟା ।
ଚୈତ୍ର ଶୁକ୍ଳପକ୍ଷର ନବମୀ ତିଥିରେ ରାମନବମୀ ପାଳିତ ହୁଏ । ପ୍ରଭୁ ରାମ ଥିଲେ ଧର୍ମର ପ୍ରତୀକ । ବିଶ୍ୱରେ ଧର୍ମ ଓ ଏକତାର କରିଥିଲେ ସ୍ଥାପନା । ଧର୍ମଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସରେ ପଡୁଥିବା ରାମ ନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ । ଶ୍ରୀରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା । ସେଥିପାଇଁ ରାମ ନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ । ହିନ୍ଦୁଙ୍କ ପାଇଁ ଏହି ପର୍ବର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏନେଇ ସାରା ଦେଶ ଉତ୍ସବମୁଖର । ଧୁମଧାମରେ ରାମ ନବମୀ ଉତ୍ସବ ପାଳନ ହେଉଛି । ସବୁଆଡେ ଆଧ୍ୟାତ୍ମିକ ମହୋଲ ସୃଷ୍ଟି ହୋଇଛି । ରାମନାମ ଧ୍ବନିରେ କମ୍ପୁଛି ଚତୁର୍ଦିଗ । ରାମନବମୀକୁ ଧୁମଧାମରେ ପାଳନ ପାଇଁ ସାରା ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।
ସେହିପରି ଓଡ଼ିଶାରେ ରାମନବମୀ ଧୁମଧାମରେ ପାଳନ କରାଯାଉଛି । ବିଶେଷକରି ଭଦ୍ରକ ଓ ସମ୍ବଲପୁରରେ ରାମନବମୀ ପାଳନ ଉପରେ ନଜର ଅଟକିଛି । ତେବେ ସମ୍ୱେଦନଶୀଳ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ରାମ ନବମୀ ପାଳନ ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି ।