ଆଜି ପବିତ୍ର ବାହୁଡ଼ାଯାତ୍ରା
ପୁରୀ ( ବିପ୍ଲବୀ ପରିକ୍ରମା ):- ଜନ୍ମବେଦୀରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଏବେ ରତ୍ନବେଦୀକୁ ବାହୁଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ଦିନ ରହଣି ପରେ ଭାଇ ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିବେ କାଳିଆ ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିରହିଛନ୍ତି ତିନିରଥ। ସୋମବାର ରଥାରୂଢ଼ ହୋଇ ଦାରୁବିଗ୍ରହ ଯିବେ ଶ୍ରୀମନ୍ଦିର ଅଭିମୁଖେ। ତେବେ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିବା ତିନିରଥକୁ ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟି ଯାଞ୍ଚ କରିସାରିଛନ୍ତି। ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।
ରବିବାର ଥିଲା ସନ୍ଧ୍ୟା ଦର୍ଶନ। ସକାଳୁ ଆରମ୍ଭ ହୋଇଯାଇଥିଲା ଭକ୍ତଙ୍କ ଗହଳି। ଲମ୍ବା ଧାଡ଼ିରେ ବ୍ୟାରିକେଡ୍ ମଧ୍ୟ ଦେଇ ଶ୍ରଦ୍ଧାଳୁମାନେ ଜନ୍ମବେଦୀରେ ଦାରୁଦିଅଁଙ୍କୁ ଦର୍ଶନ କରିଥିଲେ। ଅନ୍ୟପକ୍ଷରେ ନୀତି ବି ସଅଳ ଚାଲିଥିଲା। ଏଥିସହ ଆଡ଼ପ ଅବଢ଼ା ବି ସଅଳ ବାହାରିଥିଲା। ଶେଷ ଆଡ଼ପ ଅବଢ଼ା ପାଇଁ ଭକ୍ତମାନେ ବେଶ୍ ଭିଡ଼ ଜମାଇଥିଲେ।