ଆଜି ପବିତ୍ର ଘୋଷଯାତ୍ରା
ପୁରୀ ( ବିପ୍ଲବୀ ପରିକ୍ରମା ):- ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ରତ୍ନବେଦୀ ଛାଡି ରଥାରୁଢ଼ ହୋଇ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂରତି । ମହାପ୍ରଭୁଙ୍କ ୯ ଦିନିଆ ରଥଯାତ୍ରା ପାଇଁ ରଥ-ପଥ ଓ ଭକ୍ତ ପ୍ରସ୍ତୁତ । ବଡ଼ଦାଣ୍ଡରେ ତିନି ଠାକୁରଙ୍କ ଅପେକ୍ଷାରେ ତିନି ରଥ । ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥ ପ୍ରସ୍ତୁତ ହୋଇ ରହିଛି । ଧାଡି ପହଣ୍ଡିରେ ରଥକୁ ବିଜେ କରିବେ ଠାକୁର । ଆରମ୍ଭ ହେବ ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ଭାଇଭଉଣୀଙ୍କ ସହିତ କାଳିଆ ସାଆନ୍ତ ଘୋଷଯାତ୍ରାରେ ବାହାରିବେ। ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହେବ।
ରଥଯାତ୍ରା ପାଇଁ ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ସକାଳ ସାଢ଼େ ୯ଟାରେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ । ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ଣ ୪ଟାରେ ଗଡ଼ିବା ଆରମ୍ଭ କରିବ ।