ଆଜି ପବିତ୍ର ନୃସିଂହ ଚତୁର୍ଦଶୀ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ତିଥିରେ ହିନ୍ଦୁ ମାନଙ୍କର ଅନ୍ୟତମ ବିଶିଷ୍ଟ ପର୍ବ “ନୃସିଂହ ଜୟନ୍ତୀ “ପାଳିତ ହୁଏ |ଏହା ମହାପ୍ରଭୁ ନୃସିଂହଙ୍କର ଜନ୍ମଦିନ |ପୌରାଣିକ ମତ ଅନୁସାରେ ପ୍ରଭୁ ନୃସିଂହ ବିଷ୍ଣୁଙ୍କର ଚତୁର୍ଥ ଅବତାର | ଶ୍ରୀ ଜୟଦେବଙ୍କ ଅମର କୃତି ଦଶଅବତାର ସ୍ତୋତ୍ରର ଚତୁର୍ଥ ପଦ “ତବ କର କମଳବରେ ନଖମଦଭୂତ ଶୃଙ୍ଗ°, ଦଳିତ ହିରଣ୍ୟ କଶିପୁତନୁ ଭୃଙ୍ଗମ,କେଶବ ! ଧୃତ ନରସିଂହ ରୂପ, ଜୟ ଜଗଦିଶ ହରେ | “ଶ୍ରୀ ନୃସିଂହଙ୍କ ବିଷୟରେ ପ୍ରମାଣ ଦିଏ |

କାହାଣୀଅନୁସାରେ ଦାନଵ ରାଜ ହିରଣ୍ୟ କଶିପୁର ଅତ୍ୟାଚାରରେ ଦେବ, ଦାନଵ, ମାନବ ସମସ୍ତେ ଥରହର | ସେ ନିଜକୁ ସାରା ସଂସାରର ତ୍ରାଣକର୍ତ୍ତା ଘୋଷଣା କଲା ଓ ବିଷ୍ଣୁ ଭଗବାନଙ୍କ ଜାଗାରେ ତାର ପୂଜାପାଇଁ ନିର୍ଦ୍ଦେଶ ଦେଲା |କିନ୍ତୁ ତାର ପୁତ୍ର ପ୍ରହଲ୍ଲାଦ ଥିଲେ ସମ୍ପୂର୍ଣ୍ଣ ବିଷ୍ଣୁ ଭକ୍ତ | ପୁତ୍ରକୁ ବିଷ୍ଣୁ ବିରୋଧୀ ହେବାକୁ ହିରଣ୍ୟ ଯେତେ ଚେଷ୍ଟା କଲେ ବି ସଫଳ ହେଲେନି |ଶେଷରେ ପୁତ୍ର ପ୍ରହଲ୍ଲାଦକୁ ମାରିଦେବାକୁ ଅନେକ ପ୍ରୟାସ କଲା ଓ ବିଫଳ ହେଲା | ଶେଷରେ ନିରୁପାୟ ହୋଇ ପୁତ୍ରକୁ ପଚାରିଲା “ତୋ ବିଷ୍ଣୁ କୋଉଠି ଅଛି, ଦେଖା, ତାକୁ ମୁଁ ବଦ୍ଧ କରିବି “ପ୍ରହଲ୍ଲାଦ ଉତ୍ତର ଦେଲେ “ସେ ସବୁଠି ଅଛନ୍ତି |”ହିରଣ୍ୟ ପାଖରେ ଥିବା ଖମ୍ବକୁ ଦେଖାଇ “ଏହା ଭିତରେ ତୋ ବିଷ୍ଣୁ ଅଛି? “ପ୍ରହଲ୍ଲାଦ ହଁ କରନ୍ତେ କ୍ରୋଧୀ ହିରଣ୍ୟ ଖମ୍ବକୁ ଭଙ୍ଗି ଦେଲା ଓ ସଙ୍ଗେ ସଙ୍ଗେ ବିଷ୍ଣୁ ନରସିଂହ ଅବତାର ନେଇ ବାହାରି ଆସିଲେ ଓ ନିଜ ଜଙ୍ଘ ଉପରେ ହିରଣ୍ୟକୁ ରଖି ନଖରେ ତାର ବକ୍ଷ ବିଦୀର୍ଣ୍ଣ କରି ତାକୁ ମୁକ୍ତି ପ୍ରଦାନ କଲେ |

ହିରଣ୍ୟ ମାଗିଥିବା ବର “ସେ ଜଳ, ସ୍ଥଳ, ଅଗ୍ନି, ବାୟୁରେ ମରିବନି, କୌଣସି ଅସ୍ତ୍ରରେ ମରିବନି, ଘରେ, ବାହାରେ, ସକାଳେ, ଦିନରେ ଵା ରାତିରେ ମରିବନି|ଦେବ, ଦାନଵ, ନାରୀ, ପୁରୁଷ, ଗନ୍ଧର୍ବ କାହାରି ହାତରେ ମରିବନି “ଏଭଳି ବର ମାଗି ଅମର ହେବାର କଳ୍ପନା କରିଥିଲା | ବିଷ୍ଣୁ ମାୟା ସେ ବୁଝିପାରିଲାନି | ବିଷ୍ଣୁ ନରସିଂହ ରୂପ ଯାହା ଥିଲା ପଶୁ ଓ ମାନବର ମିଶ୍ରିତ ରୂପ ନେଇ, ସନ୍ଧ୍ୟାରେ ଓଳି ତଳେ ନିଜ ଜଙ୍ଘ ଉପରେ ରଖି ନିଜ ନଖ ରୂପକ ଅସ୍ତ୍ରରେ ତାକୁ ନିଧନ କଲେ | ଧନ୍ୟ ପ୍ରଭୁଙ୍କର ମାୟା | ସାରା ସଂସାର ପ୍ରଭୁଙ୍କର ନୂତନ ରୂପ ଦେଖିଲା |ଆଉ ପ୍ରଭୁଙ୍କୁ ଶତ୍ରୁ ଭାବି ତାଙ୍କ ନାଁ ନେଇଥିବାରୁ ପ୍ରଭୁଙ୍କର କୋଳରେ ଦାନବର ଜୀବନ ଗଲା |ଶେଷରେ ପ୍ରହଲ୍ଲାଦର ଭକ୍ତି ପୂର୍ଣ୍ଣ ପ୍ରାର୍ଥନାରେ ସେ ଶାନ୍ତ ହେଲେ | ଏହି ଦିନ ଥିଲା ବୈଶାଖ ଶୁକ୍ଲପକ୍ଷ ଚତୁର୍ଦଶୀ ତିଥି |

ଆଜି ସେହି ପବିତ୍ର ଦିନ | ପ୍ରଭୁ ନରସିଂହ ଅନେକ ରୂପରେ ଦର୍ଶନ ଦିଅନ୍ତି, ହେଲେ ତାଙ୍କର ମୁଖ୍ୟ ନ’ଟି ରୂପ ପ୍ରସିଦ୍ଧ |ସେଗୁଡିକ ହେଲେ ଉଗ୍ର ନରସିଂହ, ବୀର ନରସିଂହ, କୋପ ନରସିଂହ, କୃଦ୍ଧ ନରସିଂହ, ବିଳମ୍ବ ନରସିଂହ, ଯୋଗ ନରସିଂହ, ସୁଦର୍ଶନ ନରସିଂହ, ଲଷ୍ମୀ ନରସିଂହ | ଭାରତୀୟ ରାଜ୍ୟ ଆନ୍ଧ୍ର ଅହୋବଳମ ସ୍ଥିତ ନରସିଂହ ସ୍ୱାମୀ ମନ୍ଦିରରେ ନରସିଂହଙ୍କର ଏ ସମସ୍ତ ରୂପ ପୂଜା ପାଇଥାନ୍ତି | ଓଡ଼ିଶାରେ ମଧ୍ୟ ଅନେକ ମନ୍ଦିରରେ ଯଜ୍ଞ ନୃସିଂହଙ୍କର ପୂଜା କରାଯାଏ |

LEAVE A REPLY

Please enter your comment!
Please enter your name here