ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ହେଉଛି ତମାଖୁ ବର୍ଜନ ଦିବସ। ତମାଖୁ ପ୍ରସ୍ତୁତି, ବିକ୍ରି ଓ ସେବନ ନେଇ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ବର୍ଷ ବର୍ଷ ଧରି ଏହା ପାଳିତ ହେଉଛି, କିନ୍ତୁ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟୁନାହିଁ। ରାଜ୍ୟର ପ୍ରାୟ ସବୁସ୍ଥାନରେ ଗୁଟ୍ଖା, ସିଗାରେଟ, ଖଇନି ଆଦି ଖୋଲାଖୋଲି ବିକ୍ରି ହେଉଛି। ସ୍କୁଲ, କଲେଜ ଓ ଡାକ୍ତରଖାନା ନିକଟସ୍ଥ ସ୍ଥାନ ବି ଏଥିରୁ ବାଦ୍ ପଡୁନାହିଁ। ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିବା ବିରୋଧରେ ଏକଦା କଡ଼ା ପଦକ୍ଷେପ ଗ୍ରହଣ କରା ଯାଉଥିଲା, କିନ୍ତୁ ଏବେ ତାହା ଏତେ ଢ଼ିଲା ହୋଇଗଲାଣି ଯେ ଏପରି ଏକ ନିୟମ ଅଛି ବୋଲି ଅଧିକାଂଶ ରାଜ୍ୟବାସୀ ଭୁଲି ଗଲେଣି l
ସର୍ଭେ ଅନୁଯାୟୀ, ରାଜଧାନୀରେ ତମାଖୁ ସେବନ ମଧ୍ୟରେ ସିଗାରେଟ୍ର ସେବନ ୪୭ ପ୍ରତିଶତ ରହିଥିବା ବେଳେ ଏହା ପଛକୁ ଗୁଟଖା, ପାନମସଲା, ଖଇନି ଆଦି ରହିଛି। ସରକାର ୨୦୧୩ ଜାନୁଆରିରେ ଗୁଟ୍ଖା, ତମାଖୁ ପରି ନିଶାଦ୍ରବ୍ୟ ଉତ୍ପାଦନ, ବିକ୍ରି ଓ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ଫାଇଲ ଭିତରେ ଏହି ଆଇନ ବନ୍ଦ ହୋଇ ରହିଯାଇଛି।
ଇଣ୍ଡିଆନ ଜର୍ଣ୍ଣାଲ ଅଫ୍ କମ୍ୟୁନିଟି ମେଡିସିନ୍ ୨୦୨୦ ର ରିପୋର୍ଟ ଅନୁଯାୟୀ, ସହରର ୫୨.୮୮ ପ୍ରତିଶତ ସ୍ଥାନରେ ଏହି ନିୟମର ଖୁଲମଖୁଲା ଉଲ୍ଲଂଘନ ହେଉଛି। କୋଟପା ଆଇନ ଅନୁସାରେ କୌଣସି ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିଧି ଭିତରେ ଗୁଟ୍ଖା, ସିଗାରେଟ୍ ବିକ୍ରି ହୋଇପାରିବ ନାହିଁ। କିନ୍ତୁ ନିୟମିତ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏ ଆଇନକୁ ଲୋକେ ଭୁଲି ସାରିଲେଣି।ଯଦି ଏ ଦିଗରେ ଦୃଢ଼ଭାବେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବ, ତେବେ କମ୍ ବୟସର ପିଲାଙ୍କ ପାଇଁ ସହଜରେ ତମାଖୁ ଉପଲବ୍ଧ କରାଯିବାର କୁପରିଣାମ ନିକଟ ଭବିଷ୍ୟତରେ ପୂରା ରାଜ୍ୟର ଏକ ବଡ଼ ସମସ୍ୟା ରୂପେ ଠିଆହେବା ନିଶ୍ଚିତ ବୋଲି ଅଧିକାଂଶ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି l