ଆଜି ୧୨ ଜିଲ୍ଲାରେ ମକଡ୍ରିଲ, ବାଜିବ ସାଇରନ : ପ୍ରସ୍ତୁତ ଭାରତ, ଛାନିଆ ପାକିସ୍ତାନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଯୁଦ୍ଧ ଆଶଙ୍କା ଘନଉଥିବା ବେଳ ଯଦି ଶତ୍ରୁ ଦେଶ ଆକ୍ରମଣ କରେ ତେବେ ସାଧାରଣ ଲୋକ ନିଜକୁ କେମିତି ସୁରକ୍ଷା ଦେବେ, ସେନେଇ ଆଜି ସାରା ଦେଶରେ ମକଡ୍ରିଲ କରାଯିବ । ଦେଶର ୨୪୪ ଜିଲ୍ଲାରେ ଏହି ମକ ଡ୍ରିଲ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଓଡ଼ିଶାର ୧୨ ଜିଲ୍ଲlରେ ଯଥା,ଅନୁଗୋଳ, ଖୋର୍ଦ୍ଧା, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଗଞ୍ଜାମ, ଜଗତସିଂହପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର ରେ ଅନୁଷ୍ଠିତ ହେବ । ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମରେ ଏହି ମକଡ୍ରିଲ କରାଯିବ । ଆଜି ଅପରାହ୍ନ ୪ଟାରେ ସାଇରନ ବାଜିବା ସହ ମକଡ୍ରିଲ ଆରମ୍ଭ ହେବ,୫ ମିନିଟ ଧରି ସାଇରନ ବାଜିବ ବୋଲି ସୂଚନା ମିଳିଛି । ଏନେଇ ମଙ୍ଗଳବାର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡଙ୍ଗୀ ଓ OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳ ଲୋଚନ ମିଶ୍ର ପ୍ରସ୍ତୁତି ବାବଦରେ ସୂଚନା ଦେଇଛନ୍ତି । ଏହି ମକ ଡ୍ରିଲ ସାତ ଦିନ ଧରି ଚାଲିବ, ଆଜି କିଛି ସହରାଞ୍ଚଳରେ ଏହା କରାଯିବ । ଓଏସଡିଏମଏ କର୍ତ୍ତୃପକ୍ଷ ଉପକୂଳ ଅଞ୍ଚଳରେ ଥିବା ପ୍ରାକୃତିକ ବିପର୍ଯ୍ୟୟ ସାଇରନ ବଜାଇବା ଲାଗି ବ୍ୟବସ୍ଥା କରିବେ । ଶତ୍ରୁ ବିମାନ ଆକ୍ରମଣ ସମୟରେ ସାଇରନ ବଜେଇ ସାଧାରଣ ଲୋକଙ୍କୁ ସତର୍କ କରିବା ଏହି ମକ ଡ୍ରିଲର ଲକ୍ଷ୍ୟ । ଆଜି ୪ ଟା ବେଳେ ସାଇରନ ଲମ୍ବା ବାଜିବ, ପାଖାପାଖି ୫ମିନିଟ ସାଇରନ ବାଜିବ, ସାଇରନ ବାଜିବା କ୍ଷଣି ସମସ୍ତେ କଂକ୍ରିଟ ଛାତ ଘରକୁ ଚାଲିଯିବେ । ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ଦ୍ଦିଷ୍ଟ ଆଶ୍ରୟ ସ୍ଥଳ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ଆକ୍ରମଣର ପ୍ରଭାବ ସରିବା ପରେ ପ୍ରଶିକ୍ଷିତ ସିଭିଲ ଡିଫେନ୍ସର ସ୍ୱେଚ୍ଛାସେବୀ ସାଇରନ ବଜେଇ ସୂଚନା ଦେବେ । ଆକ୍ରମଣ ପ୍ରଭାବରେ ମୃତାହତ, ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ କ୍ଷୟକ୍ଷତିର ଆକଳନ କରାଯିବ । ଏହାର ପ୍ରସ୍ତୁତିର ଆଜି ଆକଳନ କରାଯିବ ।”

ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସତର୍କତା ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ (OSDMA )ପକ୍ଷରୁ ସତର୍କ ସୂଚନା ପ୍ରଦାନ ହୋଇଛି । ଏହା ସହ ଆଜି ଅପରାହ୍ନରେ ସାଇରନ ବଜାଯାଇ ମକଡ୍ରିଲ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି l

LEAVE A REPLY

Please enter your comment!
Please enter your name here