ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସମ୍ପର୍କରେ ବାଂଲାଦେଶ ମୁଖ୍ୟ ମହମ୍ମଦ ୟୁନୁସ୍ଙ୍କ ମନ୍ତବ୍ୟ ଏବେ ମହଙ୍ଗା ପଡ଼ିଛି। ବାଂଲାଦେଶକୁ ଝଟକା ଦେଇ ଭାରତ ବାଂଲାଦେଶକୁ ଦିଆଯାଉଥିବା ଟ୍ରାନ୍ସ-ସିପ୍ମେଣ୍ଟ୍ ସୁବିଧା ପ୍ରତ୍ୟାହାର କରିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଏପ୍ରିଲ ୮ ତାରିଖରୁ କାର୍ଯ୍ୟକାରୀ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ (ଏମଇ) ସ୍ପଷ୍ଟ କରିଛି ଯେ, ଏହି ସୁବିଧା ଭାରତୀୟ ବନ୍ଦର ଏବଂ ବିମାନବନ୍ଦରଗୁଡ଼ିକରେ ଅତ୍ୟଧିକ ଭିଡ଼, ଲଜିଷ୍ଟିକ୍ ବିଳମ୍ବ ଏବଂ ଖର୍ଚ୍ଚ ବୃଦ୍ଧି ଘଟାଉଥିଲା, ଯାହା ଫଳରେ ଭାରତର ନିଜସ୍ୱ ରପ୍ତାନି ପ୍ରଭାବିତ ହେଉଥିଲା l
ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ସାମଗ୍ରୀ ପରିବହନ ପାଇଁ ତୃତୀୟ ଦେଶର ବନ୍ଦର, ବିମାନବନ୍ଦର କିମ୍ବା ପରିବହନ ସୁବିଧାର ଅସ୍ଥାୟୀ ଭାବେ ବ୍ୟବହାର କରିବାକୁ ଟ୍ରାନ୍ସ-ସିପ୍ମେଣ୍ଟ୍ କୁହାଯାଇଥାଏ। ଭାରତ ବାଂଲାଦେଶକୁ ଏହି ସୁବିଧା ପ୍ରଦାନ କରିଥିଲା ଯାହା ଦ୍ୱାରା ବାଂଲାଦେଶ ଭାରତୀୟ ବନ୍ଦର କିମ୍ବା ବିମାନବନ୍ଦର ମାଧ୍ୟମରେ ବିଶ୍ୱର ଅନ୍ୟ ଦେଶକୁ ନିଜର ସାମଗ୍ରୀ ପଠାଇପାରିବ ଏବଂ କିଛି କ୍ଷେତ୍ରରେ ଭାରତୀୟ ବନ୍ଦରଗୁଡ଼ିକରେ ନିଜର ସାମଗ୍ରୀ ଅନଲୋଡ୍ ମଧ୍ୟ କରିପାରିବ।
ଚାଇନା ସହ ବନ୍ଧୁତା ବାଂଲାଦେଶ ଉପରେ ମହଙ୍ଗା ପଡ଼ିବାକୁ ଯାଉଛି । ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନିସଙ୍କ ଭାରତ ବିରୋଧୀ ଆଭିମୁଖ୍ୟର ଜବାବ ଦେଇଛି ଭାରତ । ପ୍ରଥମ ଝଟକାରେ ବେପାର ଉପରେ ମାଡ଼ ମାରିଛି ଭାରତ । ମଙ୍ଗଳବାର ଠାରୁ ବାଲାଦେଶକୁ ସିପମେଣ୍ଟ ସୁବିଧା ବନ୍ଦ କରିଦେଇଛି । ଏହାଦ୍ୱାରା ବାଂଲାଦେଶର ବାଣିଜ୍ୟ ବ୍ୟାପକ ଭାବେ ପ୍ରଭାବିତ ହେବ । ବିଶେଷ କରି ବାଂଲାଦେଶ ନେପାଳ, ଭୂଟାନ ଓ ମିଆଁମାରକୁ କରୁଥିବା ବ୍ୟବସାୟ ଏକ ପ୍ରକାର ଠପ ହୋଇଯିବ । ଯାହାର ପରିଣାମ ବାଂଲାଦେଶ ଉପରେ ଭୟଙ୍କର ଭାବେ ପଡ଼ିବ । ଭାରତର ଏହି ଆକ୍ସନ ଉଭୟ ଦେଶ ମଧ୍ୟରେ ଟ୍ରେଡୱାର ବୋଲି କୁହାଯାଉଛି ।
ବାଂଲାଦେଶ ଭାରତକୁ ବ୍ଲାକମେଲ କରିବାକୁ ଉଦ୍ୟମ କରିଥିଲା । ବେଜିଂ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୟୁନୁସ ଯୋଗଦେଇ ଭାରତର ଦୁର୍ବଳ ଅଂଶ ନିକଟରେ ଚାଇନାକୁ ଇକୋନୋମିକ କରିଡର କରିବାକୁ ପ୍ରସ୍ତାବ ଦେବା ତାଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା । ବାଂଲାଦେଶକୁ ଲାଗି ରହିଛି ଭାରତର ସାତ ରାଜ୍ୟ କରିଡର ବା ସିଲିଗୁଡ଼ି କରିଡର । ସେହି କରିଡର ହିଁ ଉତ୍ତରପୂର୍ବ ଭାରତକୁ ଭାରତ ସହ ଯୋଡ଼ିଥାଏ । ସେହି ସ୍ଥାନ ନିକଟରେ ଚାଇନାର ବେସ କରିବାକୁ ୟୁନୁସ ପ୍ରସ୍ତାବ ଦେଇ ଭାରତର ଆଭ୍ୟନ୍ତର ସୁରକ୍ଷାକୁ ବିପଦଗାମୀ କରିବାକୁ ଯୋଜାନା କରିଥିଲେ । ଏହାକୁ ଭାରତ କଡ଼ା ସମାଲୋଚନା କରିଥିଲା ।
କେବଳ ଭାରତ ସମାଲୋଚନା କରିନାହିଁ, ଚେତାବନୀ ବି ଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନୁସଙ୍କ ସହ ବେଙ୍କକକ୍ରେ ଆଲୋଚନା କରିଥିଲେ । ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭେଲ ବାଂଲାଦେଶକୁ ଚେତାବନୀ ଦେଇଥିଲେ । ଭାରତ ସହ ଲାଗିଲେ ପରିଣାମ ଭୟାବହ ହେବ ବୋଲି ରୋକ ଠୋକ କହିଥିଲେ । ଏବେ ଭାରତ ତାର ଆକ୍ସନ ଆରମ୍ଭ କରିଛି । ୮ ତାରିଖ ଠାରୁ ଭାରତ ବାଂଲାଦେଶକୁ ଯୋଗାଉଥିବା କାର୍ଗୋ ପରିବହନ ସୁବିଧାକୁ ରଦ୍ଦ କରିଦେଇଛି । ଏହାଦ୍ୱାରା ବାଂଲାଦେଶର ନେପାଳ, ଭୂଟାନ ଓ ମିଆଁମାର ସହ ବେପାର ମାଡ଼ ଖାଇବ । ଯାହା ବାଂଲାଦେଶର ବିଗୁଡ଼ୁଥିବା ଆର୍ଥିକ ଅବସ୍ଥାକୁ ଅହୁରି ପ୍ରଭାବିତ କରିବ । କେବଳ ସେତିକି ନୁହେଁ, ୟୁନୁସ ନସୁଧୁରିଲେ, ଆଗକୁ ଭାରତ ଆହୁରି କଡ଼ା ଆଭିମୁଖ୍ୟ ନେବ ବୋଲି ସୂଚନା ମିଳିଛି । ଦେଖାଯାଉ ଭାରତର ଏହି ବେପାର କଟକଣାରେ ବାଂଲାଦେଶ ସୁଧୁରୁଛି ନା ଭାରତକୁ ଅଧିକ ଚରମ ପଦକ୍ଷେପ ନେବାକୁ ପଡ଼ୁଛି?