ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗତ ୭ ତାରିଖ ସନ୍ଧ୍ୟାାରେ ବ୍ରହ୍ମପୁର ହଳଦିଆପଦରଠାରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ୨ ବିଜେଡ଼ି ନେତାଙ୍କୁ ବାନ୍ଧିଲା ପୁଲିସ । ଗତ ଶୁକ୍ରବାର ସନ୍ଧ୍ୟାରେ ୪ଜଣ ଯୁବକ ୨ଟି ମୋଟର ସାଇକେଲରେ ଆସି ବିଜେପି ନେତା ସନତ ନାୟକ ଓ ସଲିପ ପାତ୍ରଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ନିକଟରେ ଥିବା ଫାଷ୍ଟଫୁଡ଼ ଦୋକାନୀ ଏବଂ ପରେ ଆଉ ଦୁଇଜଣ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଆହତମାନଙ୍କୁ ଏମ୍କେସିଜି ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଏନେଇ ୫ଟି ମାମଲା ରୁଜୁ ହୋଇଥିଲା ଗୋଳନ୍ଥରା ଥାନାରେ । ପୁଲିସ ଏହି ସଂକ୍ରାନ୍ତରେ ହଳଦିଆପଦର ହରିଜନ ସାହିର ସୁବାଷ ଦାସ,କିନିଷି ଗ୍ରାମ ଭଗବତି ନଗରର ଆଶିଷ ଦଳେଇ ଏବଂ ହଳଦିଆପଦରର ସଦାନନ୍ଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ବିଜେଡ଼ି ନେତା ଅଜିତ ରାଉଳ ଓ ସୁବାଶିଷ ସାହୁ(ବଂଟି)କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସ୍ପି ଡ଼. ଶର୍ବଣା ବିବେକ ଏମ୍ କହିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ଘଟିଥିବା ବେଳେ ଦୁଇ ବିଜେଡ଼ି ନେତା ଏହାର ମାଷ୍ଟର ମାଇଣ୍ଡ ଥିଲେ ବୋଲି ଏସ୍ପି କହିଛନ୍ତି । ଏଭଳି ଅପରାଧିକ ଏବଂ ଆତଙ୍କରାଜ ଘଟଣା ଘଟାଇବା ପଛରେ ସୁବାଶିଷ ସାହୁ ଏବଂ ଅଜିତ ରାଉଳଙ୍କ ବିଶେଷ ଭୂମିକା ରହିଥିଲା, ସିସିଟିଭି ଫୁଟେଜକୁ ଆଧାର କରି ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଫେରାର ରହିଛି,ଖୁବ୍ ଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍ପି ଶ୍ରୀ ବିବେକ ଏମ୍ ସୂଚନା ଦେଇଛନ୍ତି ।