ଗୋଟିଏ ଘଂଟା ଭିତରେ ଦୁଇଟି ମନ୍ତବ୍ୟ : ଦ୍ଵନ୍ଦ ବଢ଼ାଇଦେଲେ ମନମୋହନ 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଯେଉଁ ଖବରକୁ ନେଇ ଚାଖଟିଠାରୁ ଆରମ୍ଭ କରି ପାୱାର କରିଡର ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ହେଉଛି । ସାରାରାଜ୍ୟର ରାଜନୈତିକ ମାହୋଲ ସରଗରମ ରହିଛି । ହେଲେ, ସ୍ପଷ୍ଟ ହେଉନି ବିଜେଡି-ବିଜେପି ମେଂଟ ହେବ ନା ହେବ ନାହିଁ । ମେଂଟ ହେଲେ, କେଉଁ ଦଳ କେଉଁଠୁ ଲଢ଼ିବ? କେଉଁ ଦଳକୁ କେତେ ଆସନ ମିଳିବ? ତାହା ମଧ୍ୟ ସ୍ପଷ୍ଟ ହୋଇନି । ଦଳୀୟ ନେତା ଓ କର୍ମୀ ବି ଦ୍ୱନ୍ଦ୍ୱରେ ଅଛନ୍ତି । ଆଉ ଏଭଳି ସ୍ଥିତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟ, ମେଂଟ ଦ୍ୱନ୍ଦ୍ୱକୁ ବଢ଼ାଇ ଦେଇଛି ।

ବିଜେଡି-ବିଜେପି ମେଂଟକୁ ନେଇ ଯେତେବେଳେ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି, ମେଂଟ ହେବ କି ନାହିଁ ସାରାଦେଶର ନଜର ରହିଛି, ସେତିକିବେଳେ ମାତ୍ର ଗୋଟିଏ ଘଂଟା ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦୁଇଟି ମନ୍ତବ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ପ୍ରଥମେ ଯାହା କହିଥିଲେ, ଲାଗୁଥିଲା ବିଜେଡି-ବିଜେପି ମଧ୍ୟରେ ବୋଧହୁଏ ମେଂଟ ସମ୍ଭାବନା ଶେଷ ହୋଇଗଲା । ମେଂଟକୁ ନେଇ ଦୁଇ ସପ୍ତାହ ହେଲା ଯେଉଁ ଚର୍ଚ୍ଚା ହେଉଥିିଲା ସେଥିରେ ପୂର୍ଣ୍ଣଛେଦ ପଡିଲା । ହେଲେ, ଗୋଟିଏ ଘଂଟା ପରେ ବଦଳି ଯାଇଥିଲା ଚିତ୍ର । ପୁଣି ଥରେ ଗଣମାଧ୍ୟମ ସାମନାକୁ ଆସି, ଆଉ ଏକ ମନ୍ତବ୍ୟ ଦେଇଥିଲେ । ଅତି ଚତୁରତାର ସହ ବିଜେପି ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଉପରେ ସବୁକିଛି ଛାଡି ଦେଇଥିଲେ ।

ଅର୍ଥାତ ମେଂଟକୁ ନେଇ ଶୀର୍ଷ ନେତୃତ୍ୱଙ୍କ ନିଷ୍ପତି ହିଁ ଚୂଡାନ୍ତ ହେବ । ମନମୋହନଙ୍କ ଏହି ବୟାନ,ପୁଣି ଥରେ ମେଂଟ ସମ୍ଭାବନାକୁ ଉଜୀବିତ କରି ରଖିଛି ।କେବଳ ଏତିକି ନୁହେଁ, ଦିନ ତମାମ ମନମୋହନ ଚର୍ଚ୍ଚାରେ ରହିଥିଲେ । ଅଚାନକ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଁଚିବା ପରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ମେଂଟ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ସିଧାସଳଖ ଉତର ନଦେଇ, ‘ରାଜ୍ୟରେ ବିଜେପି ଏକାକି ଲଢ଼ିବ ଓ ସରକାର ଗଢ଼ିବ କହି’, ରାଜନୈତିକ ଉଷ୍ଣତାକୁ ବଢ଼ାଇ ଦେଇଥିଲେ ।

ମନମୋହନଙ୍କ ବୟାନରେ ଗୋଟିଏ ପଟେ ନେତା ଓ କର୍ମୀ ଉତ୍ସାହିତ ହୋଇପଡିଥିଲେ । କିନ୍ତୁ ଏତିକିବେଳେ ମନମୋହନ ପୁଣି ଶୀର୍ଷ ନେତୃତ୍ୱଙ୍କ ଉପରେ ସବୁକିଛି ଛାଡିବା, ସୋସିଆଲ ମିଡିଆ ପୋଷ୍ଟକୁ ଡିଲିଟ୍ କରିବା, ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଗୋଟିଏ ପଟେ ମନମୋହନଙ୍କ ବୟାନ ଚର୍ଚ୍ଚାର ବିଷୟ ହୋଇଥିବାବେଳେ, ଆଉ ଗୋଟିଏ ପଟେ ନବୀନ ନିବାସରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ମେଂଟ ଚର୍ଚ୍ଚାକୁ ବଢ଼ାଇ ଦେଇଛି ।

LEAVE A REPLY

Please enter your comment!
Please enter your name here