ଓଡିଶାରେ ଦୁଇ ଦିନିଆ ଦୀପାବଳି 

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ଆଜି ଶ୍ରୀମନ୍ଦିରରେ ଦୀପାବଳୀ ସହ ଅମାବାସ୍ୟା ନୀତି ପାଳନ ହେବ । ଏଥିସହ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ମଧ୍ୟ ଜାଳିବେ । ସେପଟେ ଗତକାଲି ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଥିଲେ କିଛି ଭକ୍ତ । ତେବେ ଜ୍ୟୋତିର୍ବିଦ୍ ଓ ଗବେଷକଙ୍କ ମତରେ, ଗତକାଲି ଅପରାହ୍ଣ ସାଢ଼େ ୩ଟା ପରେ ଅମାବାସ୍ୟା ପ୍ରବେଶ କରିଥିବାରୁ ଗତକାଲି ବଡ଼ବଡୁଆ ନ ଡାକିବାକୁ ସେମାନେ କହିଥିଲେ ।ଅପରପକ୍ଷେ ଗତକାଲି ଚତୁର୍ଦ୍ଦଶୀ ଥିବାରୁ ରାତିରେ କେବଳ କାଳୀପୂଜା ହେବା କଥା । ଅମାବାସ୍ୟା ତିଥି ଆଜି ଉଭୟ ସକାଳ ଓ ସଂଧ୍ୟା ଯାଏଁ ରହୁଥିବାରୁ ଆଜି ହିଁ ଶ୍ରୀମନ୍ଦିରରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଇଁ ସ୍ଥିର ହୋଇଛି । କିନ୍ତୁ ପଞ୍ଜିକା ବିଭ୍ରାନ୍ତିରୁ ପର୍ବପର୍ବାଣୀ ପାଳନରେ ବାରମ୍ବାର ଏଭଳି ସ୍ଥିତି ଉପୁଜୁଛି । ଏହା ଉପରେ ଆଇନମନ୍ତ୍ରୀ, ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ସମସ୍ତ ହସ୍ତକ୍ଷେପ କରି ବାଟ ବାହାର କରିବାକୁ ଦାବି କରିଛନ୍ତି ଜ୍ୟୋତିର୍ବିଦ୍ ।ବିଭିନ୍ନ ପାଞ୍ଜିରେ ଦିଆଯାଇଥିବା ତିଥି ଓ ଲଗ୍ନ ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ବଢାଇ ଦେଇଛି । ବିରଜା ପାଞ୍ଜିକୁ ମାନୁଥିବା ଜିଲ୍ଲାଗୁଡିକରେ ଗତକାଲି ଲୋକ ଦୀପାବଳି ପାଳନ କରିଛନ୍ତି । ସେହିପରି କୋହେନୂର ଓ ଖଡିରତ୍ନ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡିକ ଆଜି ଦୀପାବଳି ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଦୁଇ ଦିନିଆ ଦୀପାବଳି ପାଳନ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ସେପଟେ ଶ୍ରୀମନ୍ଦିରରେ ଦୀପାବଳି ପାଳନ ସାଙ୍ଗକୁ ଧର୍ମ ମାସ କାର୍ତ୍ତିକରେ ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here