ବିପ୍ଲବୀ ପରିକ୍ରମା ଡିଜିଟାଲ :- ମେ’ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି। ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ଥିବା ବେଳେ ୨୨ ମେ’ ବେଳକୁ ଏହା ଲଘୁଚାପର ରୂପ ନେବ। ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। ସେହିପରି ୨୭ ମେ’ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେଇପାରେ ।
ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ବାସିନ୍ଦାଙ୍କୁ ପାଣିପାଗ ରିପୋର୍ଟ ସହିତ ଅପଡେଟ୍ ରହିବାକୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ପରିସ୍ଥିତି ଖରାପ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ୨୪ ମେ’ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।