ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଯୋଗାଯୋଗ,ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହାନଙ୍କ ଉପସ୍ଥିତିରେ ସାଇବର ଅପରାଧ ଏବଂ ଆର୍ଥିକ ଠକେଇରେ ଟେଲିକମ୍ ସମ୍ବଳର ଅପବ୍ୟବହାର ରୋକିବା ପାଇଁ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ନିମନ୍ତେ ଦୂରସଂଚାର ବିଭାଗର ‘ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ (ଡିଆଇପି)’ ଏବଂ ‘ଚକ୍ଷୁ’ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ସଂଚାର ସାଥୀ ପୋର୍ଟାଲ (https://sancharsaathi.gov.in) ଏକ ପଦକ୍ଷେପ, ଯାହା ନାଗରିକମାନଙ୍କୁ ସନ୍ଦେହଜନକ ଠକେଇ ସଂପର୍କିତ ଯୋଗାଯୋଗକୁ ସକ୍ରିୟ ଭାବରେ ରିପୋର୍ଟ କରିବା ପାଇଁ ସଶକ୍ତ କରିବାର ଏକ ଅଗ୍ରଣୀ ପଦକ୍ଷେପ।
ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ସୁରକ୍ଷିତ ଭାରତ ପ୍ରକଳ୍ପ ଅଧୀନରେ ସାଇବର ଠକେଇକୁ ରୋକିବା ପାଇଁ ଜାତୀୟ, ସାଂଗଠନିକ ଓ ବ୍ୟକ୍ତିଗତ ତିନୋଟି ସ୍ତରରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ନାଗରିକମାନେ ଯେପରି ସେମାନଙ୍କ ଅଭିଯୋଗର ସମାଧାନ କରିବା ସହ ସାଇବର ଠକେଇରୁ ନିଜକୁ ରକ୍ଷା କରିପାରିବେ ସେଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଟେଲି ଯୋଗାଯୋଗ ବିଭାଗ ଅନେକ ପଦକ୍ଷେପ ନେଇଛି। ଶ୍ରୀ ବୈଷ୍ଣବ ଏ ସଂକ୍ରାନ୍ତରେ ‘ସଂଚାର ସାଥୀ’ ପୋର୍ଟାଲ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଏହା ଏଭଳି ଆକ୍ରମଣର ସଫଳ ମୁକାବିଲା କରିବାରେ ସହାୟକ ହୋଇଛି। ଆଜିର ଦୁଇଟି ପୋର୍ଟାଲ ଡିଆଇପି ଓ ଚକ୍ଷୁ କୁ ମିଶାଇ ଏହି ଯେକୌଣସି ପ୍ରକାର ସାଇବର ସୁରକ୍ଷା ବିପଦକୁ ନିୟନ୍ତ୍ରଣ କରିବାର କ୍ଷମତା ଓ ଦକ୍ଷତାକୁ ଆହୁରି ବୃଦ୍ଧି କରିବ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି l
ଦୂରସଂଚାର ବିଭାଗ ଦ୍ୱାରା ବିକଶିତ ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ (ଡିଆଇପି) ରିଅଲ ଟାଇମ୍ ଇଣ୍ଟେଲିଜେନ୍ସ ସେୟାରିଂ, ସୂଚନା ଆଦାନ ପ୍ରଦାନ ଏବଂ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ପାଇଁ ଏକ ସୁରକ୍ଷିତ ଏବଂ ସମନ୍ୱିତ ପ୍ଲାଟଫର୍ମ ଯଥା ଟେଲିକମ୍ ସେବା ପ୍ରଦାନକାରୀ (ଟିଏସପି), ଆଇନ ପ୍ରବର୍ତ୍ତନ କାରୀ ଏଜେନ୍ସି (ଏଲଇଏ), ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ (ଏଫଆଇ), ସୋସିଆଲ ମିଡିଆ ପ୍ଲାଟଫର୍ମ, ପରିଚୟ ଦସ୍ତାବିଜ ପ୍ରଦାନକାରୀ କର୍ତ୍ତୃପକ୍ଷ ଇତ୍ୟାଦି । ଏହି ପୋର୍ଟାଲରେ ଟେଲିକମ୍ ସମ୍ବଳର ଅପବ୍ୟବହାର ଭାବେ ଚିହ୍ନଟ ହୋଇଥିବା ମାମଲା ସମ୍ପର୍କରେ ମଧ୍ୟ ସୂଚନା ରହିଛି। ଅଂଶୀଦାର ହୋଇଥିବା ସୂଚନା ନିଜ ନିଜ କ୍ଷେତ୍ରରେ ଅଂଶୀଦାରମାନଙ୍କ ପାଇଁ ଉପଯୋଗୀ ହୋଇପାରିବ ।
ଯଦି କୌଣସି ନାଗରିକ ପୂର୍ବରୁ ସାଇବର କ୍ରାଇମ କିମ୍ବା ଆର୍ଥିକ ଠକେଇର ଶିକାର ହୁଅନ୍ତି, ତେବେ ସାଇବର କ୍ରାଇମ ହେଲ୍ପଲାଇନ ନମ୍ବର ୧୯୩୦ କିମ୍ବା ଭାରତ ସରକାରଙ୍କ https://www.cybercrime.gov.in ୱେବସାଇଟରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି l