ସୁପ୍ରିମ୍‌କୋର୍ଟର କ୍ଷମତା ନେଇ ଉପରାଷ୍ଟ୍ରପତିଙ୍କ କଡ଼ା ମନ୍ତବ୍ୟ

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୁରୁବାର ସୁପ୍ରିମ୍‌କୋର୍ଟର କ୍ଷମତା ଉପରେ କଡ଼ା ମନ୍ତବ୍ୟ ଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ, ଯେଉଁଠାରେ ଅଦାଲତ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦିଅନ୍ତି। ସମ୍ବିଧାନର ଧାରା ୧୪୨କୁ ଗାଣତାନ୍ତ୍ରିକ ଶକ୍ତି ବିରୋଧରେ ପରମାଣୁ ଅସ୍ତ୍ର ଭଳି ବ୍ୟବହାର କରାଯାଉଛି ଏବଂ ଏବେ ଏହା ନ୍ୟାୟପାଳିକା ପାଇଁ ୨୪×୭ ଉପଲବ୍ଧ। ବିଚାରପତିମାନେ ବର୍ତ୍ତମାନ ‘ସୁପର୍‌ ପାର୍ଲାମେଣ୍ଟ’ ଭଳି କାମ କରୁଛନ୍ତି, ଯାହାକି ଚିନ୍ତାଜନକ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ନିକଟରେ ସୁପ୍ରିମ୍‌କୋର୍ଟ ଏକ ରାୟରେ ରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କୁ ଆଇନକୁ ଅନୁମୋଦନ ଦେବା ପାଇଁ ସମୟସୀମା ଧାର୍ଯ୍ୟ କରିବା ପରେ ଉପରାଷ୍ଟ୍ରପତି ଏଭଳି ମନ୍ତବ୍ୟ ଦେଇଛନ୍ତି। ରାଜ୍ୟସଭାର ଷଷ୍ଠ ବ୍ୟାଚ୍‌ର ଇଣ୍ଟର୍ନମାନଙ୍କୁ ସମ୍ବୋଧିତ କରି ଧନଖଡ଼ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ସମ୍ପର୍କରେ ମଧ୍ୟ କହିଥିଲେ ଏବଂ ଏହି ବିବାଦ ଉପରେ ନ୍ୟାୟପାଳିକାର ଆଚରଣକୁ ସମାଲୋଚନା କରିଥିଲେ। ‘ମାର୍ଚ୍ଚ ୧୪ ଓ ୧୫ ତାରିଖ ରାତିରେ ନୂଆଦିଲ୍ଲୀରେ ଜଣେ ବିଚାରପତିଙ୍କ ବାସଭବନରେ ଏକ ଘଟଣା ଘଟିଥିଲା। ସାତ ଦିନ ଯାଏଁ ଏ ବିଷୟରେ କେହି ଜାଣି ନ ଥିଲେ। ଆମକୁ ନିଜକୁ ପ୍ରଶ୍ନ ପଚାରିବାକୁ ପଡ଼ିବ l ବିଚାରପତିଙ୍କ ଜାଗାରେ ଅନ୍ୟ କିଏ ଥିଲେ ପରିସ୍ଥିତି ଭିନ୍ନ ହୋଇଥାନ୍ତା। ମାର୍ଚ୍ଚ ୨୧ ତାରିଖରେ ଏକ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ଦେଶର ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ’ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହା ପରେ ଆମକୁ ସୁପ୍ରିମ୍‌କୋର୍ଟରୁ ଏ ନେଇ ତଥ୍ୟ ମିଳିଥିଲା। ଏହାଦ୍ୱାରା କିଛି ଭୁଲ୍ ହୋଇଛି ବୋଲି ସନ୍ଦେହ କରାଯାଇ ନ ଥିଲା। କିଛି ତଦନ୍ତର ଆବଶ୍ୟକତା ରହିଛି ବୋଲି କୁହାଯାଇଥିଲା। ଏବେ ଦେଶ ରୁଦ୍ଧଶ୍ବାସରେ ଅପେକ୍ଷା କରିଛି। ଦେଶ ଅଶାନ୍ତ, କାରଣ ଆମର ଏକ ଅନୁଷ୍ଠାନ, ଯାହାକୁ ଲୋକମାନେ ସର୍ବଦା ସର୍ବୋଚ୍ଚ ସମ୍ମାନର ସହ ଦେଖୁଛନ୍ତି। କିନ୍ତୁ ତା’ ଉପରେ ସନ୍ଦେହ ପ୍ରକାଶ ପାଇଛି।

 

ଏକ ବିଲ୍‌ ଅନୁମୋଦନ ଦେବା ପାଇଁ ରାଷ୍ଟ୍ରପତିଙ୍କ ଲାଗି ସୁପ୍ରିମ୍‌କୋର୍ଟ ସମୟସୀମା ଧାର୍ଯ୍ୟ କରିବା ରାୟକୁ ଉଲ୍ଲେଖ କରିବା ସହ ବିଚାରପତିମାନେ ‘ସୁପର୍ ପାର୍ଲାମେଣ୍ଟ୍’ ଭାବେ କାର୍ଯ୍ୟ କରିବେ କି ବୋଲି ଉପରାଷ୍ଟ୍ରପତି ପ୍ରଶ୍ନ କରିଥିଲେ। ସମ୍ବିଧାନର ଧାରା ୧୪୨ ନ୍ୟାୟପାଳିକା ପାଇଁ ଗାଣତାନ୍ତ୍ରିକ ଶକ୍ତି ବିରୋଧରେ ପରମାଣୁ ଅସ୍ତ୍ରରେ ପରିଣତ ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସୁପ୍ରିମ୍‌କୋର୍ଟ କେଉଁ ଆଧାରରେ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ବୋଲି ପ୍ରଶ୍ନ କରି ଉପରାଷ୍ଟ୍ରପତି କହିଛନ୍ତି, ସମ୍ବିଧାନ ଅଧୀନରେ ଆପଣଙ୍କର ଏକମାତ୍ର ଅଧିକାର ହେଉଛି ଧାରା ୧୪୫(୩) ଅନୁଯାୟୀ ସମ୍ବିଧାନର ବ୍ୟାଖ୍ୟା କରିବା। ସେଠାରେ ୫ ଜଣ କିମ୍ବା ତା’ଠାରୁ ଅଧିକ ବିଚାରପତି ରହିବା ଦରକାର ବୋଲି ଉପରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here