(ବିପ୍ଲବୀ ପରିକ୍ରମା ବ୍ୟୁରୋ) ଶେଷରେ ବହୁ କଳ୍ପନାଜଳ୍ପନା ଓ ଚର୍ଚ୍ଚାର ଅନ୍ତ ଘଟାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ଭି.କେ.ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ପାଣ୍ଡିଆନ୍ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ତାଙ୍କୁ ‘ନବୀନ ଓଡ଼ିଶା’ ଓ ୫ଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତ ଏକ ସପ୍ତାହ ଧରି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା କି ଭି.କେ.ପାଣ୍ଡିଆନ୍ କାର୍ତ୍ତିକ ପୂର୍ଣ୍ଣମୀ ଦିନ ବିଜୁ ଜନତା ଦଳରେ ଯୋଗଦେବେ। ଗତକାଲି ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଆସିବା ଲାଗି ଫୋନ୍ ଯିବା ଏବଂ ଶଂଙ୍ଖ ଭବନରେ ବିଶେଷ ବୈଠକର ଆହ୍ବାନ ଦିଆଯିବା ଏକ ପ୍ରକାର ନିଶ୍ଚିତ କରିଥିଲା ଯେ ଶ୍ରୀ ପାଣ୍ଡିଆନ୍ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଉଛନ୍ତି
ସୂଚନା ଅନୁସାରେ ଆଜି ପୂର୍ବାହ୍ଣ ୧୦.୧୫ ମିନିଟରେ ସେ ନବୀନ ନିବାସରେ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଦଛୁଇଁ, ତାଙ୍କର ଆଶୀର୍ବାଦ ନେଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ପୁରୀ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପିନାକୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଉପସ୍ଥିତି ବିଜେଡି ନେତାଙ୍କୁ କହିଥିଲେ ଯେ ଶ୍ରୀ ପାଣ୍ଡିଆନ୍ଙ୍କର ପ୍ରଶାସନିକ କ୍ଷେତ୍ରରେ ଯେଉଁ ଅଭିଜ୍ଞତା ରହିଛି ତାହା ସେ ଦଳ ପାଇଁ ଏବଂ ରାଜ୍ୟର ବିକାଶ ଲାଗି ଉପଯୋଗ କରିବେ। ଶ୍ରୀ ପାଣ୍ଡିଆନ୍ ବିଜେଡି ଲାଗି ଏକ ଆସେଟ୍ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସେ ପ୍ରକାଶ କରିଛନ୍ତି।ଉଳ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୨୩ ତାରିଖରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନଙ୍କୁ ମିଳିଥିଲା ନୂଆ ନିଯୁକ୍ତି। ଏବେ ସେ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି .