ବେସାମରିକ ସୁରକ୍ଷାରେ ଯୋଗ ଦିଅ’ ଇଚ୍ଛୁକ ସ୍ବେଚ୍ଛାସେବୀ : ମୁଖ୍ୟମନ୍ତ୍ରୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦେଶରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଜାରି ରହିଥିବା ବେଳେ ବେସାମରିକ ସୁରକ୍ଷା ସଙ୍ଗଠନର ସ୍ବେଚ୍ଛାସେବୀଙ୍କ ଗୁରୁତ୍ବ ବଢ଼ିଛି। ଏପରିକି ସୀମାରେ ଯବାନମାନେ ଲଢ଼େଇ କରୁଥିବାବେଳେ ଦେଶ ଭିତରେ ବେସାମରିକ ସୁରକ୍ଷା ସଙ୍ଗଠନର ସ୍ବେଚ୍ଛାସେବୀମାନେ କିପରି ଶତ୍ରୁ ପକ୍ଷର ଆକ୍ରମଣକୁ ମୁକାବିଲା କରିବେ, ସେ ନେଇ ମକ୍‌ ଡ୍ରିଲ୍ କରୁଛନ୍ତି। ଆମ ରାଜ୍ୟରେ ପ୍ରାୟ ୧୦ ହଜାର ବେସାମରିକ ସୁରକ୍ଷା ସ୍ବେଚ୍ଛାସେବୀ ଥିବାବେଳେ ଏହାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ଯୁବସମାଜ ଯେପରି ବେସାମରିକ ‌ସୁରକ୍ଷା ସ୍ବେଚ୍ଛାସେବୀ ଭାବେ ଯୋଗ ଦେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଦେଶର ସାଧାରଣ ଲୋକଙ୍କ ଜନଜୀବନ ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ ପ୍ରାଥମିକତା। ଏଥିପାଇଁ ଜାତୀୟତାର ମନୋଭାବ ରଖି ବେସାମରିକ ସୁରକ୍ଷା ବା ସିଭିଲ୍ ଡିଫେନ୍ସ ସଙ୍ଗଠନରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବା ପାଇଁ ମୁଁ ଜନସାଧାରଣଙ୍କୁ, ବିଶେଷ କରି ଯୁବ ସମାଜକୁ ଆହ୍ବାନ କରୁଛି। ଯୁବ ସମାଜ ହିଁ ଆମ ଆଶା, ଭରସା, ଉତ୍ସାହ ଓ ଶକ୍ତିର ପ୍ରତୀକ l

ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି ଯେ ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ। ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ। ଏହି ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରାଯିବ। ଆବଶ୍ୟକ ହେଲେ, ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ। ଆମ ରାଜ୍ୟର ୧୨ଟି ସ୍ଥାନରେ ସିଭିଲ୍ ଡିଫେନ୍ସ ସଙ୍ଗଠନ କାର୍ଯ୍ୟ କରୁଛି। ଆବଶ୍ୟକ‌ତା ଅନୁଯାୟୀ ଅନ୍ୟ ସ୍ଥାନଗୁଡ଼ିକରେ ନୂଆ ସଙ୍ଗଠନ ଗଢ଼ିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ମୋର ଆଶା ଓ ବିଶ୍ବାସ, ସେବା ଓ ଜାତୀୟତାର ମନୋଭାବ ରଖି ଅନେକ ବ୍ୟକ୍ତି ବିଶେଷ କରି ଯୁବବର୍ଗ ଏଥିପାଇଁ ଆଗେଇ ଆସିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l

LEAVE A REPLY

Please enter your comment!
Please enter your name here