ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଳମ୍ବୀ କରିବା ପାଇଁ ଏକ ବୃହତ୍ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ଗତ ସେପ୍ଟେମ୍ବର ୧୭ ତାରିଖ ଠାରୁ ସହାୟତା ପ୍ରଦାନ କରି ଆସୁଛନ୍ତି। ବର୍ଷକୁ ୫ ହଜାର ଟଙ୍କା ଲେଖାଏଁ ୨ଟି କିସ୍ତିରେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ମିଳିବ। ଆସନ୍ତା ମାର୍ଚ୍ଚ ୮ ତାରିଖ ସୁଦ୍ଧା ପ୍ରଥମ କିସ୍ତିର ଟଙ୍କା ମିଳିବ।। ଅକ୍ଟୋବର ୯ ତାରିଖ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ କରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ସହାୟତା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୩ ହଜାର କୋଟି ଟଙ୍କାର ସହାୟତା ଦେଇଥିବା ନେଇ ସରକାର କହୁଛନ୍ତି। ସୁଭଦ୍ରା’ ଯୋଜନା ମାଧ୍ୟମରେ ୨୦୨୪ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ୧ କୋଟି ୬୦ ଲକ୍ଷ ଫର୍ମ ଆବଣ୍ଟିତ ହୋଇଛି। ଏଥିରୁ ଏପର୍ଯ୍ୟନ୍ତ ୧ କୋଟି ୩୦ ହଜାରରୁ ଊର୍ଦ୍ଧ୍ବ ମହିଳା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି। ସରକାରଙ୍କ କହିବା ମୁତାବକ ୬୦ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ସହାୟତା ମିଳିଛି। ଟଙ୍କା ପାଇଥିବା ମହିଳାମାନେ ଖୁସି ଅଛନ୍ତି। କିନ୍ତୁ ୭୦ ଲକ୍ଷ ମହିଳା ସୁଭଦ୍ରା ଟଙ୍କାକୁ ଅପେକ୍ଷା କରିଛନ୍ତି ଓ ମନ ଦୁଃଖରେ ରହିବା ସ୍ବାଭାବିକ। ଆବେଦନ ପ୍ରକ୍ରିୟା ଜାରି ଥିବା ବେଳେ ଆଗାମୀ ଦିନରେ ସରକାର ରଖିଥିବା ଲକ୍ଷ୍ୟ ଠାରୁ ହିତାଧୀକାରୀଙ୍କ ସଂଖ୍ୟା ଯଥେଷ୍ଟ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।
ସୁଭଦ୍ରା ଯୋଜନାର ଲାଭ ଉଠାଇବା ପାଇଁ ଏବେବି ମହିଳାମାନଙ୍କୁ ଆଧାର ସଂଶୋଧନ ଓ ଆଧାର ସହ ଫୋନ ନମ୍ବର ସଂଯୋଗ କରିବା ପାଇଁ ଅନ୍ଲାଇନ୍ କେନ୍ଦ୍ରକୁ ଯିବାକୁ ପଡୁଛି। ଇଣ୍ଟରନେଟ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ମହିଳାମାନଙ୍କୁ ଏକାଧିକ ଥର ଅନ୍ଲାଇନ୍ ସେଣ୍ଟରକୁ ଯିବାକୁ ପଡୁଛି। ସେହିପିର ବ୍ୟାଙ୍କରେ କେୱାଇସି ପାଇଁ ମହିଳା ଗ୍ରାହକମାନେ ଭିଡ଼ ଲଗାଉଛନ୍ତି। ଘରଦ୍ବାର ଛାଡ଼ି ବାରମ୍ବାର ଅନ୍ଲାଇନ୍ କେନ୍ଦ୍ର ଓ ବ୍ୟାଙ୍କକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଏପର୍ଯ୍ୟନ୍ତ ଆବେଦନ କରିସାରିଥିବା ମହିଳାମାନଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକଙ୍କୁ ସୁଭଦ୍ରା ଟଙ୍କା ମିଳିନାହିଁ। ଟଙ୍କା ପାଇ ନଥିବା ମହିଳାମାନେ ବିବ୍ରତ ହୋଇଯାଉଛନ୍ତି। ଯଦିଓ ସରକାର ସମସ୍ତଙ୍କୁ ଟଙ୍କା ମିଳିବ ବୋଲି ଏକାଧିକ ଥର କହି ସାରିଛନ୍ତି, ତଥାପି ଜଣେ ମହିଳା ନିଜେ ନପାଇ ଯେତେବେଳେ ପଡୋଶୀଙ୍କ ଟଙ୍କା ଆସିଥିବା ଦେଖୁଛି ଦୁଃଖ ପ୍ରକାଶ କରିବା ସ୍ବାଭାବିକ। ପ୍ରଥମ ପର୍ଯ୍ୟାୟରେ ଟଙ୍କା ସହାୟତା ପ୍ରଦାନ କରିବା ପୂର୍ବରୁ ରାଜ୍ୟ ସରକାର କହିଥିଲେ, ଯେଉଁମାନେ ସେପ୍ଟେମ୍ବର ୧୫ ତାରିଖ ପୂର୍ବରୁ ନାମ ପଂଜୀକରଣ କରିସାରିଥିବେ, ସେମାନଙ୍କ ଆକାଉଣ୍ଟକୁ ସେପ୍ଟେମ୍ବର ୧୭ ତାରିଖରେ ଟଙ୍କା ଆସିଯିବ। କିନ୍ତୁ ବାସ୍ତବରେ ତାହା ହୋଇପାରି ନାହିଁ। ସେପ୍ଟେମ୍ବର ୧୦ ତାରିଖରେ ପଂଜୀକରଣ କରିସାରିଥିବା ମହିଳାଙ୍କୁ ଏପର୍ଯ୍ୟନ୍ତ ଟଙ୍କା ମିଳି ନାହିଁ। ଆଧାର ନମ୍ବର ସହିତ ମୋବାଇଲ ନମ୍ବର, ବ୍ୟାଙ୍କ କେୱାଇସି, ବ୍ୟାଙ୍କ ସିଡିଂ ଠିକ୍ ଥାଇ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କା ନଆସିବାର କାରଣ ମଧ୍ୟ ସେମାନେ ଜାଣିପାରୁ ନାହାନ୍ତି। ଦ୍ବିତୀୟ ପର୍ଯ୍ୟୟରେ ଅକ୍ଟୋବର ୯ ତାରିଖରେ ଯେତେବେଳେ ଆକାଉଣ୍ଟକୁ ଟଙ୍କା ଆସିବା ଆରମ୍ଭ କରିଥିଲା, ଅନେକ ମହିଳା ବହୁବାର ନିଜନିଜ ଆକାଉଣ୍ଟ ଯାଞ୍ଚ କରୁଥିଲେ। କିନ୍ତୁ ବିଳମ୍ବିତ ରାତି ଯାଏଁ ଟଙ୍କା ନ ଆସିବାରୁ ଶେଷରେ ହତାଶ ହୋଇଥିଲେ। ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇପାରି ନଥିବା ମହିଳାମାନେ ତୃତୀୟ ପର୍ଯ୍ୟାୟକୁ ଅପେକ୍ଷା କରିଛନ୍ତି। ଅନ୍ୟପଟରେ ସରକାର ତୃତୀୟ ପର୍ଯ୍ୟାୟରେ କେବେ ଟଙ୍କା ବାଣ୍ଟିବେ, ସେନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାଠାରେ ଆୟୋଜିତ ବିଶାଳ ଜନସଭାରେ ଉଦ୍ବୋଧନ ଦେଇ କହିଥିଲେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ଅବସରରେ କହିଥିଲେ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳା ‘ସୁଭଦ୍ରା’ ସହାୟତା ପାଇଛନ୍ତି। ସମୁଦାୟ ୩ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ‘ସୁଭଦ୍ରା’ ଯୋଜନା ଓଡ଼ିଶାର ମା’ ଓ ଭଉଣୀମାନଙ୍କ ଜୀବନରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କ ଅର୍ଥନୈତିକ ସଶକ୍ତୀକରଣ କରିବ। ଏହା ସହିତ ସେମାନଙ୍କ ସାମାଜିକ ସମ୍ମାନ ମଧ୍ୟ ବଢାଇବ। ଏହି ଯୋଜନା ସାରା ଓଡିଶାର ମା’ ମାନଙ୍କ ମୁହଁରେ ହସ ଓ ଖୁସି ଆଣିଛି। ମା’ ମାନଙ୍କ ହସ ଓ ଖୁସି ହିଁ ଓଡ଼ିଶାର ବିକାଶର ଗାଡ଼ିକୁ ଦ୍ରୁତଗାମୀ କରାଇବ। ‘ସୁଭଦ୍ରା’ ଓଡ଼ିଶାର ସର୍ବ ବୃହତ ମହିଳା ସଶକ୍ତୀକରଣ ଅଭିଯାନ। ଏହି ଯୋଜନା ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବାରେ ସହାୟକ ହେବା ସହିତ ଏକ ସମୃଦ୍ଧ ଓଡ଼ିଶାର ମୂଳଦୁଆ ପକାଇଛି।