ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ପାଇ ଗଜପତି ଜିଲ୍ଲାରୁ ଲକ୍ଷ୍ମୀ ବାବା ଓ ତାଙ୍କ ସହଯୋଗୀ ଆଜି ଅଯୋଧ୍ୟା ଯାତ୍ରା କରିଛନ୍ତି । ଏହି ଯାତ୍ରା ଅବସରରେ ଆଜି ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ରାଧାଗୋବିନ୍ଦ ମଠ ଠାରୁ ଲକ୍ଷ୍ମୀ ବାବା ଏବଂ ତାଙ୍କ ସହଯାତ୍ରୀମାନଙ୍କୁ ସମ୍ବର୍ଦ୍ଧନାର୍ଥେ ଏକ ସଂକୀର୍ତ୍ତନ ଦଳ ମୃଦଙ୍ଗ ବାଜା ତାଳେ ତାଳେ ହରିନାମ ସଂକୀର୍ତ୍ତନ ସହ ଜୟଶ୍ରୀରାମ ଧ୍ବନୀରେ ନଗର ପରିକ୍ରମା କରି ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପହଞ୍ଚି ପୁଷ୍ପଗୁଚ୍ଛ ପ୍ରଦାନ କରି ଯାତ୍ରା ସଫଳମୟ ହେଉ ଏବଂ ପ୍ରଭୁ ଶ୍ରୀରାମଙ୍କ ଠାରେ ଗଜପତି ବାସୀଙ୍କ ମଙ୍ଗଳ କାମନା କରିବା ପାଇଁ କହିଥିଲେ ।
ସେହିପରି ଲକ୍ଷ୍ମୀ ବାବା କହିଛନ୍ତି ଯେ, ମହେନ୍ଦ୍ରଗିରିର ପୀଠାଧିଶ, ଅଖିଳଭାରତୀୟ ସାଧୁସନ୍ଥ ସମାଜର ଯଥା ଓଡିଶା-ଆନ୍ଧ୍ର-ତେଲାଙ୍ଗାନା ମୁଖ୍ୟ ଏବଂ କେନ୍ଦ୍ରୀୟ ମାର୍ଗଦର୍ଶି ମଣ୍ଡଳୀର ସଦସ୍ୟ ହିସାବରେ ତିନି ଗୋଟି ନିମନ୍ତ୍ରଣ ଆସିଛି । ତେଣୁ ଏହି ତିନି ଗୋଟି ସଂଗଠନର ପ୍ରତିନିଧି ଭାବେ ଏହି ଗସ୍ତ କରୁଥିବାର ଜଣାଇଛନ୍ତି । ତାଙ୍କ ସହ ବନବାସୀ ସନ୍ଥ ସହ ଗଞ୍ଜାମ-ଗଜପତିର ସାଧୁ ସନ୍ଥ ମାନେ ମଧ୍ୟ ଅଯୋଧ୍ୟା ଗସ୍ତ କରୁଥିବାର କହିଛନ୍ତି । ଏଥି ଲାଗି ସମଗ୍ର ଜିଲ୍ଲାବାସୀ ଶୁଭେଚ୍ଛା ଜଣାଉଥିବାର କହିଛନ୍ତି ଲକ୍ଷ୍ମୀ ବାବା ।