ବିପ୍ଲବୀ ପରିକ୍ରମା ବ୍ୟୁରୋ :- କଂଗ୍ରେସ ନେତା ତଥା ୱାଏନାଡ ସାଂସଦ ରାହୁଲ ଗାନ୍ଧୀ ଏଥର କେଉଁଠୁ ଲଢିବେ ନିର୍ବାଚନ? ୨୦୨୪ ସାଧାପଣ ନିର୍ବାଚନରେ ରାହୁଲଙ୍କୁ ୱାଏନାଡ ଆସନ ଛାଡିବାକୁ ପଡିବ କି । ଏହି ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ଇଣ୍ଡିଆନ ୟନିଅନ୍ ମୁସଲିମ ଲିଗ୍ ବା ଆଇୟୁଏମଏଲ କେରଳରେ ତିନୋଟି ଲୋକସଭା ଆସନ ଦାବି କରୁଛି । ସେପଟେ ସିପିଆଇଏର ଶୀର୍ଷ ନେତା ଡି ରାଜାଙ୍କ ପତ୍ନୀ ଆନି ରାଜାଙ୍କୁ ୱାଏନାଡରୁ ପ୍ରାର୍ଥୀ କରାଯାଇଛି ।
ବିଜେପିକୁ ମାତ୍ ଦେବାକୁ ଇଣ୍ଡିଆ ମେଂଟ ଗଠନ ହୋଇଛି । ଏହି ମେଂଟର ସଦସ୍ୟ ରହିଛି ସିପିଆଇ । ହେଲେ ୱାଏନାଡ ମୁସଲିମ୍ ବୁହଳ ଅଂଚଳ ହୋଇଥିବାରୁ ଆଇୟୁଏମଏଲ ଏହି ଆସନ ପାଇଁ ଦାବି କରୁଛି । ଅନ୍ୟପଟେ ସିପିଆଇ ପ୍ରାର୍ଥୀ ଘୋଷଣା କରିବା ପରେ ଏହି ଆସନକୁ ନେଇ ଅଡୁଆ ବଢିଛି । ଆଉ ଏହି ଦୁଇ ଦଳ ଇଣ୍ଡିଆ ମେଂଟରେ ଅଛନ୍ତି । ଏପରି ସ୍ଥିତିରେ ରାହୁଲ ଗାନ୍ଧୀ ପ୍ରାର୍ଥୀ ହୋଇ ମେଂଟ ସହଯୋଗୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ । ମେଂଟ ଧର୍ମ ରକ୍ଷା କରିବାକୁ ଯାଇ ରାହୁଲ ଗାନ୍ଧୀ ୱାଏନାଡ ଆସନ ଛାଡିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।
କିନ୍ତୁ କଂଗ୍ରେସ ଏ ବାବଦରେ କିଛି କହି ନାହିଁ । ନିକଟରେ ୟୁପିରେ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀ ଆମେଠିରୁ ପୁଣିଥିରେ ପ୍ରାର୍ଥୀ ହେବେ କି ନାହିଁ ଚର୍ଚ୍ଚା ହୋଇଥିଲା । କିନ୍ତୁ ୟୁପିରେ ବିଜେପି ଯେଉଁଭଳି ମଜବୁତ ହୋଇଛି ଏବଂ ଅନ୍ତିମ ବିଧାନସଭା ଓ ଲୋକସଭା ଫଳାଫଳକୁ ଦେଖିଲେ ରାହୁଲଙ୍କ ପାଇଁ ୟୁପି ଚ୍ୟାଲେଞ୍ଜ ହେବ ।
ଏପରି ସ୍ଥିତିରେ ରାହୁଲ ଗାନ୍ଧୀ ସେଫ ସିଟ୍ ପାଇଁ ଦୁଇ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଉପରେ ଫୋକସ କରିପାରନ୍ତି । ବିଭିନ୍ନ ସମୟରେ ସଂସଦରେ ସରକାରକୁ ଶାଣିତ ଆକ୍ରମଣ କରିବାରୁ ରାଗ ରଖି ବିଜେପି ସରକାର ରାହୁଲଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି ବୋଲି କଂଗ୍ରେସ ନେତା କୁହନ୍ତି । ତେଣୁ ଏତେ ସବୁ ଚ୍ୟାଲେଞ୍ଜ ଭିତରେ ରାହୁଲ ଗାନ୍ଧୀ ସଂସଦକୁ ନିର୍ବାଚିତ ହେବା ଜରୁରୀ ବୋଲି ଦଳ ହୃଦବୋଧ କରେ । ତେଣୁ ସେ ସେଫ୍ ସିଟ୍ ପାଇଁ କର୍ଣ୍ଣାଟକ ଏବଂ ତେଲେଙ୍ଗାନାକୁ ବାଛି ପାରନ୍ତି ।