ବିପ୍ଲବୀ ପରିକ୍ରମା ବ୍ୟୁରୋ :- ୫ ରାଜ୍ୟର ବିଧାନସଭା ନିର୍ବାଚନ ସରିଲା । ଫଳାଫଳ ବି ଆସିଲା । ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବାଜିମାତ୍ କଲା ବିଜେପି । କିନ୍ତୁ ଏପର୍ଯ୍ୟନ୍ତ ଦଳ ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରିନାହିଁ । ଏନେଇ ବିଜେପି ଶୀର୍ଷ ନେତୃତ୍ୱରେ ମାନସ ମନ୍ଥନ ଚାଲିଛି । କେଉଁ ଚେହେରା ୨୦୨୪ ଫାଇଟ୍ ପାଇଁ ଦଳକୁ ଶକ୍ତି ଯୋଗାଇବ, ସେଥିପାଇଁ ଦଳ ଡାକୁଛି ଘନ ଘନ ବୈଠକ। ତଥାପି, ନିର୍ବାଚନ ଫଳାଫଳ ପ୍ରକାଶକୁ ପାଞ୍ଚ ଦିନ ବିତି ଯାଇଥିଲେ ବି ବିଜେପି ଏଯାଏଁ ନେଇପାରୁନି ସଠିକ୍ ନିଷ୍ପତ୍ତି। ଏହାରି ମଧ୍ୟରେ ଏହି ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି ଦଳ। ଏହି ତିନି ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତା’ର ନିଷ୍ପତ୍ତି ନେବେ ପୁରୁଖା ନେତା। ଏଥିପାଇଁ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଦଳର ସାଧାରଣ ସମ୍ପାଦକ ବିନୋଦ ତାୱେଡ ଏବଂ ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ରାଜସ୍ଥାନ ପଠାଯାଇଛି।ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ଦୁଇ ବରିଷ୍ଠ ନେତା କେ. ଲକ୍ଷ୍ମଣ ଓ ଆଶା ଲାକ୍ରାଙ୍କୁ ମଧ୍ୟ ପ୍ରଦେଶ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ। ଅନ୍ୟପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ କୁମାର ଗୌତମଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି। ସେମାନେ ବିଜୟୀ ବିଧାୟକଙ୍କ ସହ ଆଲୋଚନା କରିବେ । ବିଧାୟକମାନେ କାହାକୁ ନିଜର ନେତା ବୋଲି ବାଛିବାକୁ ଚାହୁଁଛନ୍ତି, ତାର ଏକ ବିସ୍ତୁତ ରିପୋର୍ଟ ହାଇକମାଣ୍ଡକୁ ହସ୍ତାନ୍ତର କରାଯିବ । ଏହା ପରେ ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ ।ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସପେନ୍ସ ଜାରି ରହିଥିବାବେଳେ ବସୁନ୍ଧରା ରାଜେ ସିନ୍ଧିଆ ଅଚାନକ ଦିଲ୍ଲୀ ପହଁଚି ଶୀର୍ଷ ନେତାଙ୍କୁ ଭେଟିଛନ୍ତି । ସେଠାରେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ବସୁନ୍ଧରା ରାଜେଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ବଡ଼ ଦାବିଦାର କୁହାଯାଉଛି । କିନ୍ତୁ ସେ ହାଇକମାଣ୍ଡଙ୍କ ଉପରେ ନିଷ୍ପତି ଛାଡ଼ି ଦେଇଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଛକାପଂଝା ଚାଲିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରେସରେ ଯଦିଓ ନଥିବା କହିସାରିଛନ୍ତି ଶିବରାଜ ସିଂ ଚୌହାନ ତଥାପି ସସପେନ୍ସ ଉପରୁ ପର୍ଦ୍ଦା ଉଠିପାରିନି । ଅନ୍ୟପଟେ ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ଅରୁଣ କୁମାର, ଧରମଲାଲ କୌଶିକ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଓପି ଚୌଧୁରୀ ମଧ୍ୟ ରେସରେ ଅଛନ୍ତି ।