ମହାରାଷ୍ଟ୍ର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମହାରାଷ୍ଟ୍ରରେ ମହାୟୁତିର ବିପୁଳ ବିଜୟ ହୋଇଛି। ମହାୟୁତି ମେଣ୍ଟକୁ ରାଜ୍ୟରେ ସ୍ପଷ୍ଟ ବହୁମତ ମିଳିଛି। ତେବେ ନିର୍ବାଚନ ଫଳ ଆସିବା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ- ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ଗ୍ରହଣ କରିବେ ନା’ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତିର ବିଜୟ ପାଇଁ ପ୍ରମୁଖ ଭୂମିକା ନିଭାଇଥିବା ଦେବେନ୍ଦ୍ର ଫଡ଼ନାବିସ୍ ମୁଖ୍ୟମନ୍ତ୍ରୀ ହେବେ। ତେଣୁ ମୁଖ୍ୟମନ୍ତ୍ରୀ କିଏ ହେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଫଡ଼ନାବିସ୍ ନାଗପୁର ଦକ୍ଷିଣ ପଶ୍ଚିମ ଆସନରୁ ବିଜୟ ହାସଲ କରିଛନ୍ତି। ମହାରାଷ୍ଟ୍ରରେ ବିଜେପିର ବିପୁଳ ବିଜୟର ସବୁ ଶ୍ରେୟ ଦେବେନ୍ଦ୍ର ଫଡ଼ନାବିସ୍ଙ୍କ ନିକଟକୁ ଯାଉଛି। ଏକନାଥ ସିନ୍ଦେ କୋପଡି- ପାଚପଖାଡ଼ି ନିର୍ବାଚନମଣ୍ଡଳୀରେ ବିଜୟ ହାସଲ କରିଛନ୍ତି।
ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପିର ବିପୁଳ କ୍ଷତି ପାଇଁ ନିଜକୁ ଦାୟୀ କରିଥିଲେ ଦେବେନ୍ଦ୍ର ଫଡ଼ନାବିସ। ଏହି ୫ ମାସ ସମୟରେ ସେ ସବୁ ଉଦ୍ୟମ ଲଗାଇ ଦଳକୁ ସଫଳତା ପ୍ରଦାନ କରିଛନ୍ତି। ତୃଣମୂଳ ସ୍ତରରେ ତାଙ୍କ ପ୍ରଚାର କାର୍ଯ୍ୟ ଦଳକୁ ଏକ ଅନନ୍ୟ ସଫଳତା ପ୍ରଦାନ କରିଛି। ତେଣୁ ଦେବେନ୍ଦ୍ର ଫଡ଼ନାବିସ୍ ଏବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଥମେ ମହାୟୁତି ମେଣ୍ଟରେ ସର୍ବସମ୍ମତିକ୍ରମେ ଏକ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହି ନିଷ୍ପତ୍ତି ପରେ ବଦଳିଥିଲା। ଗୃହମନ୍ତ୍ରୀ ଅମିତ ଶାହ ଚଳିତ ମାସରେ କହିଥିଲେ ଯେ ମହାରାଷ୍ଟ୍ର ନିର୍ବାଚନ ପରେ ମହାୟୁତି ମେଣ୍ଟ ସହଯୋଗୀମାନେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ସଂକ୍ରାନ୍ତ ନିଷ୍ପତ୍ତି ନେବେ। ନଭେମ୍ବର ୧୦ ତାରିଖରେ ଶାହ କହିଥିଲେ, ବର୍ତ୍ତମାନ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଅଛନ୍ତି। ନିର୍ବାଚନ ପରେ ସମସ୍ତ ୩ ମେଣ୍ଟ ସହଯୋଗୀ ମୁଖ୍ୟମନ୍ତ୍ରୀ ପଦ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ।