କିଏ ମାରିବା ବାଜି ବିପ୍ଲବ ନା ସିଦ୍ଧାନ୍ତ?

0
Oplus_131072

ଦିଗପହଣ୍ଡି ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଛି ଦିଗପହଣ୍ଡି ।୨୦୦୯ ମସିହାରେ ପୁନର୍ଗଠନ ହୋଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା। ଦିଗପହଣ୍ଡି ବ୍ଲକ୍‌, ଦିଗପହଣ୍ଡି ପୌର ପରିଷଦ ଓ କୁକୁଡାଖଣ୍ଡି ବ୍ଲକ୍‌ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା। ଏହି ନିର୍ବାଚନ ମଣ୍ଡଳୀକୁ ବିଜେଡି ନିଜ କବ୍‌ଜାରେ ରଖିଛି। ରାଜ୍ୟ ରାଜନୀତିରେ ବରିଷ୍ଠ ରାଜନେତା ଭାବେ ପରିଚିତ ସୂର୍ଯ୍ୟନାରାୟଣ ପାତ୍ର ଏଠାରୁ ଲଗାତାର ୩ ଥର ନିର୍ବାଚିତ ହୋଇଛନ୍ତି । ଆଉ ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସଦସ୍ୟ ହେବା ସହିତ ବାଚସ୍ପତି ମଧ୍ୟ ହୋଇଥିଲେ।

ଆଉ ଏବେ ତାଙ୍କ ଦେହାନ୍ତ ପରେ ତାଙ୍କର ଅଭେଦ୍ୟ ଗଡ଼ରେ ଭାଗ୍ୟ ପରୀକ୍ଷା ଦେଉଛନ୍ତି ପୁଅ ବିପ୍ଲବ ପାତ୍ର। ଆଉ ତାଙ୍କୁ କଡ଼ା ଟକ୍କର ଦେବାପାଇଁ ବିଜେଡିରୁ ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଭରସା କରିଛି ବିଜେପି ।ଆଉ ଏଥର ସୂର୍ଯ୍ୟଙ୍କ ଅଭେଦ୍ୟ ଗଡ଼ରେ ପଦ୍ମ ଫୁଟାଇବା ସିଦ୍ଧାନ୍ତଙ୍କ ପାଇଁ ଏତେ ସହଜ ହେବନାହିଁ ବୋଲି ଚର୍ଚ୍ଚା ହେଉଛି । କହିବାକୁ ଗଲେ ବିଜେଡି ପାଇଁ ଏହି ନିର୍ବାଚନ ମଣ୍ଡଳୀ ସବୁଠାରୁ ସୁରକ୍ଷିତ ସ୍ଥାନ ରହିଥିଲା। ତେବେ ୨୦୨୩ ମସିହାରେ ସୂର୍ଯ୍ୟ ପାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦିଗପହଣ୍ଡରେ ଆରମ୍ଭ ହୋଇଥିଲା ରାଜନୀତିର ମହାଭାରତ। ବିଜେଡି ଦୁଇ ଭାଗରେ ବିଭକ୍ତ ହୋଇଗଲା। ଗୋଟିଏ ଗୋଷ୍ଠୀରେ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ରହିଥିବା ବେଳେ ଅନ୍ୟ ଗୋଷ୍ଠୀରେ ସୂର୍ଯ୍ୟ ପାତ୍ରଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ବିପିନ ପ୍ରଧାନ ରହିଲେ।

ପ୍ରାର୍ଥୀ ଚୟନକୁ ନେଇ ପ୍ରତି ପଞ୍ଚାୟତରେ ଏକାଧିକ ଆଶାୟୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୋଷ୍ଠୀ କନ୍ଦଳ। ଦିଗପହଣ୍ଡି ରାଜନୀତି ଗୋଳିଆ ହେଉଥିବା ଦେଖି ବିପିନ ପ୍ରଧାନଙ୍କୁ ବହିଷ୍କାର କରିଥିଲେ ବିଜେଡି ସୁପ୍ରିମୋ। ଅନ୍ୟପଟେ ବିଜେପି ସିଦ୍ଧାନ୍ତଙ୍କୁ ଦଳ ଦିଗପହଣ୍ଡି ପାଇଁ ପ୍ରାର୍ଥୀ ଘୋଷଣା କରିଛି ସିଦ୍ଧାନ୍ତ ମହାପାତ୍ର ୨୦୦୯ରେ ବିଜେଡିରେ ସାମିଲ ହୋଇଥିଲେ । ଆଉ ସେହି ବର୍ଷ ବ୍ରହ୍ମପୁର ଆସନରୁ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପରେ ୨୦୧୪ରେ ବି ସେ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ ଦୁଇ ଦୁଇ ଥର ସାଂସଦ ହୋଇଥିବା ସିଦ୍ଧାନ୍ତଙ୍କୁ ଏଥର କିନ୍ତୁ ବିଜେପି ବିଧାୟକ ଭାବେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛି । କୁହାଯାଉଛି ଦିଗପହଣ୍ଡି ଆସନରେ ଏଥର ଦମଦାର ଲେଢଇ ହେବ । କାରଣ ଜଣେ ବିଧାୟକଙ୍କ ପୁଅ ଭାବେ ବିପ୍ଲବଙ୍କ ଦିଗପହଣ୍ଡିରେ ଭଲ ସଂଗଠନ ସହ ଲୋକପ୍ରିୟତା ରହିଛି ।

ସେହିପରି ବିପ୍ଲବଙ୍କ ବିରୋଧରେ ବ୍ରହ୍ମପୁରରେ ଦୁଇ ଦୁଇଥର ସାଂସଦ ରହିଥିବା ସିଦ୍ଧାନ୍ତଙ୍କର ଦିଗପହଣ୍ଡିରେ ଭଲ ସଂଗଠନ ରହିଛି । ଆଉ ସିଦ୍ଧାନ୍ତଙ୍କର ମଧ୍ୟ ଓଡିଶାରେ ଭଲ ଲୋକପ୍ରିୟତା ରହିଛି । ତେଣୁ ବିଜେଡିର ଗଡ କୁହାଯାଉଥିବା ଦିଗପହଣ୍ଡିରେ ସିଦ୍ଧାନ୍ତଙ୍କୁ ଓହ୍ଲାଇ ବିଜେପି ବିଜେଡିକୁ ଜୋରଦାର ଟକ୍କର ଦେବ । ଗତ ବିଧାନସଭା ନିର୍ବାଚନରେ ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ବିଜେପି ପିଙ୍କି ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ପିଙ୍କି ୪୦ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ । ହେଲେ ଏଥର ସିଦ୍ଧାନ୍ତ ବିଜେଡିର ବିପ୍ଲବଙ୍କୁ ଜୋରଦାର ଟକ୍କକ ଦେଇପାରନ୍ତି ।

LEAVE A REPLY

Please enter your comment!
Please enter your name here