କିଏ ପିନ୍ଧିବ ରାଉରକେଲା ମୁକୁଟ

0
Oplus_131072

ରାଉଲକେଲା ( ବିପ୍ଲବୀ ପରିକ୍ରମା ):- ଇସ୍ପାତନଗରୀ ରାଉରକେଲାରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମଇଦାନରେ। ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ପ୍ରଚାର। ଡୋର୍‌ ଟୁ ଡୋର ଯାଉଛନ୍ତି ପ୍ରାର୍ଥୀ। ଆଉ ନିଜ ପାଇଁ ମାଗୁଛନ୍ତି ଭୋଟ୍‌। କିନ୍ତୁ ସବୁ ନିଷ୍ପତ୍ତି ଜନତା ଜନାର୍ଦ୍ଦନଙ୍କ ଉପରେ। ବିଜେପି ପ୍ରାର୍ଥୀ ଦିଲିପ ରାୟ ହୁଅନ୍ତୁ କି ବିଜେଡି ପ୍ରାର୍ଥୀ ସାରଦା ନାୟକ, ଉଭୟେ ଏଠୁ ତିନି ଥର ଲେଖାଏଁ ଜିତି ସାରିଛନ୍ତି । ତେଣେ କଂଗ୍ରେସ ନୂଆ ଚେହେରା ଭାବେ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ଭରସା କରିଛି । ତେବେ ଷ୍ଟିଲ ସିଟିର ସାମଗ୍ରୀକ ବିକାଶ ପାଇଁ ଭୋଟରଙ୍କ ମନ ଜିଣିବାକୁ ଭେଟେରାନ୍ ନା ନୂଆ ମୁହଁଙ୍କୁ ବାଛିବେ ଭୋଟର । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କାହାକୁ ? ନା ନୂଆ ଚେହେରାକୁ ଇସ୍ପାତ ନଗରୀର ମୁକୁଟ ପିନ୍ଧାଇବେ ଭୋଟର ?

ଷ୍ଟିଲ୍ ସିଟି ରାଉରକେଲା ବିଧାନସଭା କ୍ଷେତ୍ରରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ଯୋଦ୍ଧାଙ୍କ ଚେହେରା ସ୍ପଷ୍ଟ ହେବା ପରେ ଏବେ ୟାକୁ ନେଇ ଜୋରଦାର ଚର୍ଚ୍ଚା ।ସେପଟେ ପ୍ରଚାର ମଇଦାନରେ ବି ପ୍ରାର୍ଥୀ ଦେଖାଇଲେଣି ଦମ୍ । ବିଜେପି ହେଭିୱେଟ୍ ଦିଲ୍ଲୀପ ରାୟ, ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ବ୍ୟବସାୟୀ ଓ ଭାରତୀୟ ଜନତା ପାର୍ଟିର ଟାଣୁଆ ଚେହେରା । ସେ ତିନି ଥରର ବିଧାୟକ । ୨୦୧୪ରେ ବିଜେପି ଟିକେଟ୍ ରେ ଜିତିଥିଲେ, ହେଲେ ୨୦୧୯ରେ ଲଢ଼ି ନଥିଲେ । କିନ୍ତୁ କୋଇଲା ଦୁର୍ନୀତି ମାମଲାରୁ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଏଥର ପୁଣି ତାଙ୍କୁ ରଣଭୂମିକୁ ଓହ୍ଲାଇଛି ବିଜେପି । ଟିକେଟ୍ ପାଇବା ପରଠୁ ସେ ବିଜେପି ନେତା ଓ କର୍ମୀଙ୍କୁ ନେଇ ଘନ ଘନ ରଣନୀତି ପ୍ରସ୍ତୁତି ସହ ଡୋର ଡୁ ଡୋର କ୍ୟାମ୍ପେନିଂ କରୁଛନ୍ତି ।

ମୋଦି ଗ୍ୟାରେଣ୍ଟି, ବ୍ରାହ୍ମଣୀ ନଦୀରେ ନୂଆ ସେତୁ ଓ ତାଙ୍କ ଅମଳରେ ରାଉରକେଲା ସହରର ବିକାଶକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି । ସେପଟେ ବିଜେଡି ହେଭିୱେଟ୍ ମନ୍ତ୍ରୀ ଶାରଦା ନାୟକ ବି ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଚଳାଇଛନ୍ତି ଜୋରଦାର ଷ୍ଟ୍ରାଟେଜି ।ମହାନଗର ନିଗମ ସହ ଆଖପାଖ ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଓ ନବୀନଙ୍କ ଲୋକପ୍ରିୟତାକୁ ଆଧାର କରି ସେ ପୁଣି ନିର୍ବାଚନ ବୈତରଣୀ ପାର୍ ହେବେ ବୋଲି କହୁଛନ୍ତି ।

ତେଣେ ବିଜେପି- ବିଜେଡି ଉପରେ ରାଉରକେଲା ଭୋଟର ଖପ୍ପା ଥିବା ଓ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି କହି ଭୋଟ୍ ମାଗୁଛନ୍ତି ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକ । ଏଥର ଲଢ଼େଇ ରୋଚକ ହେବ । ମେ ୨୦ରେ ରାଉରକେଲାରେ ଭୋଟ୍ । ଏଥର ମଇଦାନରେ ଥିବା ବିଜେପି- ବିଜେଡି ପ୍ରାର୍ଥୀଙ୍କ ମଧ୍ୟରୁ ପୁଣି କିଏ ଜିଣି ଚତୁର୍ଥ ଥର ପାଇଁ ବିଜୟ ଟୀକା ପିନ୍ଧୁଛନ୍ତି ନା ଭୋଟର କଂଗ୍ରେସର ନୂଆ ଚେହେରାଙ୍କୁ ବାଛୁଛନ୍ତି , ଏବେ ତା ଉପରେ ନଜର ।

LEAVE A REPLY

Please enter your comment!
Please enter your name here