ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର, ଗଞ୍ଜାମର ବ୍ୟବସାୟିକ ପେଣ୍ଠସ୍ଥଳ । ଓଡ଼ିଶା ରାଜନୀତିର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ବ୍ରହ୍ମପୁର । ଗଞ୍ଜାମର ଗୁରୁତ୍ୱପୂର୍ଣ୍ଣ ଓ ଦକ୍ଷିଣ ଓଡ଼ିଶାର ଦମଦାର ଆସନ ବ୍ରହ୍ମପୁର । ଆଗରୁ ଏଠୁ କଂଗ୍ରେସ, କମ୍ୟୁନଷ୍ଟ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ବାନା ଉଡୁଥିଲା। କିନ୍ତୁ ଏବେ ଏହା ବିଜେଡିର ଅଭେଦ୍ୟ ଗଡ଼। ଏଠୁ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଛନ୍ତି ଦଳର ଭେଟରାନ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ। କିନ୍ତୁ ଗତଥର ବିକ୍ରମ ପଣ୍ଡାଙ୍କ ପାଇଁ ସିଟ୍ ହରାଇ ଚୁପ୍ ବସିଥିଲେ ଚ୍ୟାଉ ପଟ୍ଟନାୟକ। ଏଥର କିନ୍ତୁ ସେ ପ୍ରାର୍ଥୀ ହେବାକୁ ଢେର ଆଶା ବାନ୍ଧିଛନ୍ତି। ଅନ୍ୟପଟେ ବିକ୍ରମ କିନ୍ତୁ ସିଟ୍ ଛାଡ଼ିବା ସ୍ଥିତିରେ ନାହାନ୍ତି। ସେ ଭିତରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ଏବଂ ତାଙ୍କୁ ବିଜେପି ନା କଂଗ୍ରେସ ଟକ୍କର ଦେବ, ତା ଉପରେ ସମସ୍ତଙ୍କ ନଜର। ୧୯୮୦ ପୂର୍ବରୁ ଏଠି ପ୍ରତିଥର ହୋଇ ଆସୁଥିଲା କଂଗ୍ରେସ, କମ୍ୟୁନିଷ୍ଟ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ। ତେବେ ୧୯୯୦ ଏବଂ ୧୯୯୫ରେ ଜନତା ଦଳ ଅଧିନକୁ ଆସିଥିଲା ଏ ଆସନ। ଆଉ ୨୦୦୦ ପରଠୁ ଏ ଆସନକୁ ନିଜ ଗଡ଼ କରିଥିଲା ବିଜେଡି।
୧୯୯୫ରେ ଥରେ ଜନତା ଦଳକୁ ମିଶାଇ ଇଏଠୁ ଲଗାତର ପାଞ୍ଚ ପାଞ୍ଚ ଥର ବିଜୟୀ ହେବା ସହ ବାଜି ମାତ କରି ଆସୁଥିଲେ ଦକ୍ଷିଣ ଓଡ଼ିଶା ଭେଟରାନ୍ ଚେହେରା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ। ତେବେ ୨୦୧୯ରେ ବଦଳି ଯାଇଥିଲା ଏଠିକାର ପଲିଟିକାଲ ଅଙ୍କ। ରମେଶଙ୍କୁ ପ୍ରତି ନିର୍ବାଚନରେ କଡ଼ା ଟକ୍କର ଦେଉଥିବା ବିକ୍ରମ ପଣ୍ଡାଙ୍କୁ ବିଜେଡି, କଂଗ୍ରେସରୁ ଆମଦାନୀ କରି ପ୍ରାର୍ଥୀ କରିବା ପରେ ଚ୍ୟାଉ ପଟ୍ଟନାୟକଙ୍କ ରେକର୍ଡରେ ଲାଗିଥିଲା ବ୍ରେକ୍।ଆଉ ବିକ୍ରମ ବି ୨୦୧୯ ନିର୍ବାଚନରେ ଆଶାତୀତ ସଫଳତା ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର କାହ୍ନୁ ଚରଣ ପତିଙ୍କୁ ୩୫ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ବିକ୍ରମ ପଣ୍ଡା ଭଲ ପ୍ରଦର୍ଶନ ସହ ବ୍ରହ୍ମପୁର ବିଧାୟକ ହେବା ପରେ ଏବେ ଏଠାରେ ତାଙ୍କର ଦବବଦା। ସେପଟେ ୫ ଥର ବିଧାୟକ ଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କର ନିଜସ୍ୱ ଦୃଢ଼ ସଂଗଠନ ଓ ପତିଆରା ବି ରହିଛି। ତେଣୁ ଏ ଆସନ ପାଇଁ ଏଥର ଏ ଉଭୟ ନେତା ଆଶାବାଦୀ।ଏକଦା କଂଗ୍ରେସର ପରିଚୟ ଥିବା ବ୍ରହ୍ମପୁର ଆସନକୁ ୧୯୮୫ ପରଠୁ ଆଉ ଫେରିନି ହାତ ଦଳ। ତେବେ ବ୍ରହ୍ମପୁରରେ ଦଳର କିଛି ପକେଟ୍ ଭୋଟ ଥିବାରୁ ଦଳ ଏଥର ବିଜେଡି-ବିଜେପି ଶାସନ ବିରୋଧୀ ହାୱାକୁ ଆଧାର କରି ଦୃଢ଼ ମୁକାବିଲା କରିବାକୁ ଆଶା ବାନ୍ଧିଛି।
ବ୍ରହ୍ମପୁରରେ କେବେ ବିଜୟର ସ୍ୱାଦ ଚାଖି ନଥିବା ବିଜେପି ପାଇଁ ଆଜି ଯାଏଁ ଅପହଞ୍ଚ ରହିଛି ଏ ଆସନ।କିନ୍ତୁ ଏଥର ଦଳ ଜୋରଦାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। କିନ୍ତୁ ଏଥର ଦଳ କାହାକୁ ଟିକେଟ୍ ଦେବ ତାକୁ ନେଇ ଦ୍ୱନ୍ଦ୍ୱ । ଗତଥର ପ୍ରାର୍ଥୀ ହୋଇଥିବା କାହ୍ନୁ ଚରଣଙ୍କ ସହ ଶିବଶଙ୍କର ଦାସ ବି ରେସରେ ଥିବା ଚର୍ଚ୍ଚା ହେଉଛି। ବିଜେଡିର ଅଭେଦ୍ୟ ଗଡ଼ ଥିବା ବ୍ରହ୍ମପୁରରେ ସବୁବେଳେ ଦ୍ବିମୁଖୀ ଲଢେଇ ହୋଇ ଆସୁଛି। ତେବେ ଏଥର ବିଜେଡିକୁ ବିଜେପି ନା କଂଗ୍ରେସ, କିଏ ଟକ୍କର ଦେବ, ତା ଉପରେ ନଜର।