ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭାରତୀୟ ପ୍ରଶାସନିକ ସେବାରୁ ନିଜକୁ ପ୍ରତ୍ୟାହାର କରିନେଇଛନ୍ତି ସୁଜାତା ଆର କର୍ତ୍ତିକେୟନ । ତାଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନ ଉପରେ କେନ୍ଦ୍ର ବି ମୋହର ମାରିସାରିଛି । ଏବେକାର ବେଶ ଚର୍ଚ୍ଚିତ ଘଟଣା ହେଉଛି ସୁଜାତା ଆଇଏଏସ ପଦବୀରୁ ଓହରିଯିବା । ବିଜେଡି ବା ନବୀନ ସରକାର ସମୟରେ ବେଶ କାର୍ପଟଦାର ଥିବା ସୁଜାତା ନବୀନ ସରକାର ଯିବା ପରେ ସଂକୁଚିତ ହୋଇଯାଇଛନ୍ତି । ମୋହନ ସରକାର ତାଙ୍କୁ ଅର୍ଥ ବିଭାଗରେ ରଖିଛି ସତ, ସେମିତି ଦାୟିତ୍ୱ ନାହିଁ । ତାଙ୍କ କ୍ୟାରିୟରରେ ନିର୍ବାଚନ କମିଶନ କଳା ଦାଗ ଲଗାଇ ଦେଇଛନ୍ତି । ସାମ୍ବିଧାନିକ ଦାୟିତ୍ୱ ତୁଲାଇବାରେ ସେ ବିଫଳ ହୋଇଥିଲେ । ପକ୍ଷପାତିତା କରିଥିଲେ । ବିଜେଡି ପାଇଁ କାଳେ ସେ ସବୁ ସୀମା ସରହଦ ପାର କରି ବିବାଦୀୟ ହୋଇଥିଲେ । ନବୀନଙ୍କର ସେ ଏତେ ପ୍ରିୟ ଥିଲେ ଯେ, ମୋହନ ସରକାର କାଳେ ତାଙ୍କୁ ବିଶ୍ୱାସକୁ ନେଇ ପାରୁନାହାନ୍ତି । ଅବିଶ୍ୱାସରେ କେତେଦିନ ପଦବୀରେ ବସିବେ । ତେଣୁ ସେ କାଳେ ଓହରିଯାଇଛନ୍ତି ।
ଅନ୍ୟପକ୍ଷରେ ସୁଜାତାଙ୍କୁ ନେଇ ଯେଉଁ ଦୁଇଟି ଚର୍ଚ୍ଚା ହେଉଛି, ତାହାର କାରଣ ବି ରହିଛି । ଦିଲ୍ଲୀ ଗସ୍ତରେ ଯାଇଥିବା ବିଜେଡି ସୁପ୍ରିମୋ ନବୀନ ଙ୍କୁ ତାମିଲନାଡ଼ୁର କୋଇମ୍ବାଟୋରରେ ଦେଖାଯାଇଛି । । ତେଣୁ ପାଣ୍ଡିଆନଙ୍କର ଓଡ଼ିଶା ଛାଡ଼ିବା ଓ ନବୀନଙ୍କୁ ନେଇ କିଛି ଭିତିରି କାମ କରାଉଥିବା ଚର୍ଚ୍ଚା ହେଉଛି ।
ଅନ୍ୟପଟେ ତାଙ୍କ ଝିଅ ଲଣ୍ଡନରେ ପଢ଼ୁଥିବା କୁହାଯାଉଛି। ଏ ଭିତରେ ପାଣ୍ଡିଆନଙ୍କୁ ବି ଲଣ୍ଡନରୁ ଚାକିରୀ ଅଫର ଥିବା ଚର୍ଚ୍ଚା ହେଉଛି। ତେଣୁ ସୁଜାତାଙ୍କ ଭିଆରଏସ୍ ପରେ ଉଭୟଙ୍କ ପରବର୍ତ୍ତୀ ଆଭିମୁଖ୍ୟ ଉପରେ ନଜର ରହିଛି ସମସ୍ତଙ୍କ l ବଡ କଥା ହେଲା ସନ୍ୟାସ ନେବା ପରେ ବି ପାଣ୍ଡିଆନ ନବୀନ ନିବାସରେ ଅଛନ୍ତି, ଆଉ ପଛରେ ରହି ବିଜେଡିକୁ ପରିଚାଳନା କରୁଛନ୍ତି । ଯଦି ସୁଜାତା ଓଡ଼ିଶା ଛାଡ଼ନ୍ତି ତାଙ୍କ ସହ ପାଣ୍ଡିଆନ ଯିବେ ନା ଓଡ଼ିଶାରେ ରହିବେ, ତାକୁ ନେଇ ବି କଳ୍ପନାଜଳ୍ପନା। ତେବେ ନିଜ ଭିଆରଏସ୍ ସଂପର୍କରେ ସୁଜାତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଅନ୍ୟପକ୍ଷରେ ଦୀର୍ଘଦିନ ଧରି ନବୀନ କାଳେ ବିଜେଡିର ଦ୍ୱିତୀୟ ନେତା ବା ତାଙ୍କ ଉତ୍ତରାଧିକାରୀ ଖୋଜି ପାଉ ନାହାନ୍ତି । ତାଙ୍କ ପରିବାରରୁ ସେ କାହାକୁ ଅଣିବେ ନାହିଁ । ପାଣ୍ଡିଆନଙ୍କୁ ଓଡ଼ିଶା ଲୋକେ ଗ୍ରହଣ କରିବେ ନାହିଁ । ଦଳରେ ଯେଉଁ ଜଣେ ଦୁଇଜଣ ଯୋଗ୍ୟ ଅଛନ୍ତି, ତାଙ୍କ ବିରୋଧରେ ଦଳର ନେତାମାନେ ଲାଗିଯାଇଛନ୍ତି । ତେଣୁ ବିଜେଡିରେ ସବୁଠୁ ବଡ଼ ସଂକଟ ନେତୃତ୍ୱ ବୋଲି କୁହାଯାଉଛି । ସେଥିପାଇଁ ସୁଜାତା ହିଁ ଉପଯୁକ୍ତ ବୋଲି କୁହାଯାଉଛି । ସୁଜାତାଙ୍କୁ ପ୍ରାୟ ନେତା ଗ୍ରହଣ କରିବାକୁ ପ୍ରସ୍ତୁତ ବି ହେଲେଣି । ଏନେଇ ତର୍ଜମା ଚାଲିଛି । ଯଦି ସୁଜାତାଙ୍କୁ ସମସ୍ତେ ଗ୍ରହଣ କରିଯିବେ, ତେବେ ପାଣ୍ଡିଆନ ନବୀନଙ୍କ କାନରେ ପକାଇ ସୁଜାତାଙ୍କୁ ବିଜେଡିର ମୁଖ୍ୟ କରିବେ । ଯଦି ଏହା ନହେବ, ତେବେ ସୁଜାତା ଓଡ଼ିଶା ଛାଡ଼ି ଦେଇ ପାରନ୍ତି ବୋଲି କୁହାଯାଉଛି ।