କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମର ମାଧସାହିରେ ଗତ ରାତିରେ ଘଟିଛି ଏକ ନୃଶଂସ ହତ୍ୟାକାଣ୍ଡ। ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗ୍ରାମର ଦଶରା ମୁଣ୍ଡା ପରକ୍ରୀୟା ପ୍ରୀତି ସନ୍ଦେହ କରି ନିଜ ସ୍ତ୍ରୀ ଚିନି ମୁଣ୍ଡାଙ୍କୁ ତୀର ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି।ସୂଚନାନୁସାରେ ସ୍ତ୍ରୀ ଚିନି ମୁଣ୍ଡାଙ୍କ ଜାମୁପାଣି ଗ୍ରାମର ଅନ୍ୟଜଣେ ପୁରୁଷ ସହ ପ୍ରେମ ସମ୍ପର୍କ ରହିଥିବା ସ୍ବାମୀ ଦଶରା ମୁଣ୍ଡା ସନ୍ଦେହ କରୁଥିଲା। ଯାହା ଫଳରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ବୁଧବାର ନୂଆ ବର୍ଷ ଦିନ ତମାମ ପରିବାର ଭୋଜି ଭାତରେ ମଶଗୁଲ ରହିଥିଲେ। ରାତିରେ ଦଶରା ନିଜ ସ୍ତ୍ରୀ ଛାତିକୁ ତୀର ମାରିଥିଲା। ବାପା ତାଙ୍କ ମାକୁ ତୀର ମାରିଥିବା ଦେଖି ଛୁଆ ମାନେ ପଡୋଶୀଙ୍କୁ ଡାକିଥିଲେ। ପଡୋଶୀ ମାନେ ଗୁରୁତର ଚିନିଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଝୁମ୍ପୁରା ମେଡିକାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଅଭିଯୁକ୍ତ ସ୍ବାମୀ ଦଶରା ମୁଣ୍ଡାକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ରହିଛି।