ବିପ୍ଲବୀ ପରିକ୍ରମା ଡିଜିଟାଲ :- ଚର୍ଚ୍ଚା ହେଉଛି, ବିଜେଡି ସାଂସଦ ସସ୍ମିତ ପାତ୍ର କୁଆଡେ ସବୁଜ ଶିବିର ଛାଡି ଗେରୁଆ ଶିବିରରେ ସାମିଲ ହେଇପାରନ୍ତି । ଯେବେଠୁ ସେ ଓ୍ୱାକଫ୍ ବିଲକୁ ସମର୍ଥନ କରିଛନ୍ତି, ଆଉ ଏଇ କଥାକୁ ନେଇ ରାଜନୀତି ତେଜିଛି, ସେବେଠୁ ରାଜନୀତିର ମଇଦାନ ରେ ଗୋଟିଏ ଚର୍ଚ୍ଚା ହେଉଛି ଯେ, ସସ୍ମିତ ପାତ୍ର ଖୁବଶୀଘ୍ର ବିଜେଡି ଛାଡି ବିଜେପିରେ ସାମିଲ ହେବା ସହ ଶଙ୍ଖ ଛାଡି ପଦ୍ମ ଧରିପାରନ୍ତି । ବିଜେଡିରେ ଗଲା ୨୪ ବର୍ଷରେ ଯାହା ହେଇନଥିଲା, ତା ଏବେ ହେଇଛି । ଖୋଦ୍ ବିଜେଡି ସାଂସଦଙ୍କ ବିଷୟରେ ଖୋଲା ବୟାନ ରଖୁଛନ୍ତି ବିଜେଡି ସାଂସଦ । ଓ୍ୱାକଫ୍ ବିଲ୍ ସତେ ଯେମିତି, ବିଜେଡି ଦଳ ଭିତରେ ମୂଷା ହେଇ ଦଳର ଗୁମର ଖୋଳି ଦେଇଥିବାବେଳେ, ଏବେ ଆରମ୍ଭ ହୋଇଛି ବିଜେଡି ନେତାଙ୍କ ଦଳବଦଳ ଚର୍ଚ୍ଚା । ପୂର୍ବରୁ ମଧ୍ୟ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ଶଙ୍ଖ ଛାଡି ପଦ୍ମ ଧରିସାରିଛନ୍ତି । ସେ ସୁଜିତ୍ କୁମାର ହୁଅନ୍ତୁ କି, ମମତା ମହନ୍ତ ଉଭୟ ନବୀନଙ୍କ ହାତ ଛାଡିବା ସହିତ, ନିକଟରେ ମୋଦୀଙ୍କ ଦଳରେ ସାମିଲ ହେଇଥିଲେ । ଆଉ ଠିକ୍ ସେହି ଢଙ୍ଗରେ ଏବେ ସସ୍ମିତ ବି ଚାଲୁଥିବା ଚର୍ଚ୍ଚା ହେଉଛି । ଯଦି, ରାଜନୀତିର ଗଳିକନ୍ଧିରେ ବୁଲୁଥିବା ଖବର ସତ ହୁଏ, ତେବେ ସସ୍ମିତ ପଦ୍ମ ଧରିବା ଏକ ପ୍ରକାର ପକ୍କା ବୋଲି ଚର୍ଚ୍ଚା ହେଉଛି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେଡିରେ ଓ୍ୱାକଫ୍ ବିଲକୁ ନେଇ ଏତେ ସାରା ଘଟଣା ଘଟିଲାଣି, ଏମିତି କି ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ କଥା ଗଲାଣି । ହେଲେ ଏତେ ସବୁ ପରେ ବି, ସସ୍ମିତ କିନ୍ତୁ ମୁହଁ ଖୋଲିନାହାଁନ୍ତି । ଏବେ ବି ସେ ବିଦେଶ ଗସ୍ତରେ ଥିବାବେଳେ, ଏ ପ୍ରସଙ୍ଗରେ ଗୋଟିଏ ବି ପ୍ରତିକ୍ରିୟା ରଖିନାହାଁନ୍ତି । ତେଣୁ ତାଙ୍କର ଏ ନୀରବତା ଅନେକ କିଛି ଚର୍ଚ୍ଚାକୁ ଜନ୍ମ ଦେଇଛି । ତେଣୁ ସସ୍ମିତ ଯଦି, ଚର୍ଚ୍ଚା ଅନୁସାରେ ବିଜେପିରେ ସାମିଲ ହୁଅନ୍ତି, ତେବେ ଏହି ସଂଖ୍ୟା ୨ରୁ ବଢି ୩ ହେବ । ତେଣୁ ଦେଖିବାକୁ ବାକି ରହିଲା, ରାଜନୀତିରେ ସସ୍ମିତଙ୍କ ଆଗାମୀ ପଦକ୍ଷେପ ରହୁଛି କ’ଣ…