ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମୋଦି ମହାବାତ୍ୟାରେ ଲୋଟିପଡ଼ିଛି ୨୪ ବର୍ଷର ସରକାର। ରାଜ୍ୟରେ ପ୍ରାୟ ସବୁଠି ଭାଙ୍ଗିଛି ବିଜେଡି ଗଡ଼। ବିଜେପି ପୋଛି ନେଇଛି ୨୧ରୁ ୨୦ ଲୋକସଭା ଆସନ। ବିଜେଡିର ଶୋଚନୀୟ ପରାଜୟ ପରେ ନବୀନ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟରେ ସରକାର ବଦଳିବା ପରେ ନେତାଙ୍କ ମୁଡ଼ ଭି ବଦଳିବ ନେଇ ଆଶଙ୍କା ହେଊଛି l
ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଏବେ କୁଆଡେ ଦଳ ପରିବର୍ତନ କରିବାକୁ ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି । ଏବେ ସେ ଦିଲ୍ଲୀ ଯାଇଥିବା ଜଣାପଡିଛି । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ନିର୍ବାଚନ ବେଳେ ସେ ବିଜେଡି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ସେହିପରି ପୂର୍ବରୁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ବିଜେଡି ସୁପ୍ରିମୋ ପ୍ରତିଶ୍ରୁତି ଦେଇଥିଲେ ବୋଲି ସେ କୁହନ୍ତି । ଆଉ ଏବେ ବିଜେଡିର ବିପର୍ଯ୍ୟୟ ପରେ ସେ ଦଳ ପରିବର୍ତନ କରିବାକୁ ନିଷ୍ପତି ନେଇଥିବା କୁହାଯାଉଛି । ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ୱର ଲୋକସଭାରୁ ୧୯୯୮ରୁ ୨୦୧୯ ଯାଏଁ ପ୍ରତିନିଧିତ୍ୱ କରୁଥିଲେ ।
ମିଳିଥିବା ସୂଚନା ଅନୁୁସାରେ ଓଡ଼ିଶାର ଜଣେ ବରିଷ୍ଠ ବିଜେପି ନେତା ତଥା ନବ ନିର୍ବାଚିତ ସାଂସଦ ପ୍ରସନ୍ନ ପାଟଶାଣୀଙ୍କୁ ଦିଲ୍ଲୀ ଡକାଇଛନ୍ତି । ଦିଲ୍ଲୀରେ ଆଜି ସଂସଦୀୟ ଦଳ ବୈଠକ ଥିବାବେଳେ ଏହି ସମୟରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦିଲ୍ଲୀ ଡକାଯାଇଛି । ପ୍ରସନ୍ନ ପାଟଶାଣୀଙ୍କ ସାଥିରେ ଅଛନ୍ତି ସିଲଭର ଗାନ୍ଧୀ ମୋହନ ମହାପାତ୍ର ଓ ବିବେକାନନ୍ଦ ଜେନା ।