ନିମାପଡା ( ବିପ୍ଲବୀ ପରିକ୍ରମା ):- ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି କରିଛି ସ୍ୱତନ୍ତ୍ର ରଣନୀତି। ନିମାପଡ଼ା ଆସନ ଲାଗି ୮ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ। ଏହି ୮ ନେତାଙ୍କୁ ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତ କରିଛି ଦଳ।ନିମାପଡ଼ାରେ ଶେଷ ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଥିବା ବେଳେ ଏଠାରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ନାୟକ। ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଟିକେଟ୍ କାଟି ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀପ ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ଟିକେଟ୍ ନପାଇବାରୁ ସମୀର ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିକଟରେ ସେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ନିମାପଡ଼ାରୁ ପ୍ରଭାତୀ ପରିଡ଼ାଙ୍କୁ ପ୍ରାର୍ଥୀ କରିଛି।
ପ୍ରଭାତୀ ପରିଡ଼ା ନିଶ୍ଚିୟ ବିଜୟୀ ହେବେ ବୋଲି ଘୋଷଣା କରିଛନ୍ତି ସମୀର ରଞ୍ଜନ ଦାଶ। ଟିକେଟ କାଟିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ସମୀର ରଞ୍ଜନ ଦାଶ ବିଜେଡି ଉପରେ ଚାପ ପ୍ରୟୋଗ କରିବାକୁ ପ୍ରୟାସ କରିଥିଲେ। ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ସମାବେଶ କରିଥିଲେ। ଏମିତିକି ତାଙ୍କର କିଛି ସମର୍ଥକ ଦଳ ଛାଡ଼ି ବିଜେପିରେ ମିଶିଥିଲେ। କିନ୍ତୁ ଦଳ ନିଷ୍ପତ୍ତି ବଦଳାଇ ନଥିଲା। ଓଲଟି ସମୀରଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଦାୟିତ୍ୱ ଦେଇଥିଲା ଦଳ ଏବଂ ଟିକେଟ ନେଇ ପୁନର୍ବିଚାର କରାଯିବ ନାହିଁ ବୋଲି ପରୋକ୍ଷରେ ଜଣାଇ ଦେଇଥିଲା l
ଅନ୍ୟପଟେ କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ। ଆଉ ଚାନ୍ଦବାଲିରେ ବି ୮ ନେତାଙ୍କ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ। ସମୀର ଦାଶ ବିଜେପିରେ ଯୋଗ ଦେବା ପରେ ବଦଳିଯାଇଛି ପୁରା ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକରଣ। ଅନ୍ୟ ପଟେ ଉପକୂଳ ଭଦ୍ରକରେବି ବିଜେପି ରାଜ୍ୟ ସଭାପତି ମନମୋହନଙ୍କୁ କାଉଣ୍ଟର ପାଇଁ ଚେଷ୍ଟା। ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୬ ଲୋକସଭା ଓ ୪୨ ବିଧାନସଭା ବିଜେଡି ପାଇଁ ବେଶ୍ ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି l