ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଶୀତରେ ଥରୁଛି ସାରା ରାଜ୍ୟ। ଧୀରେ ଧୀରେ ବଢ଼ୁଛି ଜାଡ଼ । ଗତକାଲି ରାତିରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିଲା। ଗତ କିଛି ଦିନ ହେବ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ଫଳରେ ଶୀତରେ ଥରହର ହେଉଛନ୍ତି ଲୋକେ।ଗତ ରାତିରେ କନ୍ଧମାଳ ଫୁଲବାଣୀ ଓ ଜି. ଉଦୟଗିରିରେ ତାପମାତ୍ରା ୮ ଡିଗ୍ରୀକୁ ଖସିଆସିଛି । ଆଗକୁ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୪ରୁ ୫ ଦିନ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଭୁବନେଶ୍ୱରସ୍ଥିତ ଆଞ୍ଚଳିତ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ଟ୍ୱିଟ ଅନୁଯାୟୀ, ଆଜି କନ୍ଧମାଳର ଜି.ଉଦୟଗିରି ଓ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି। କୋରାପୁଟରେ ୮.୬ ଡିଗ୍ରୀ, ଅନୁଗୁଳ ଓ କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭଦ୍ରକର ରାଣୀତାଲରେ ୯.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୯.୮ ଡିଗ୍ରୀ ଓ ରାଉରକେଲାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।ଏଥିସହ ଟୁଇନ ସିଟି କଟକ, ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି।;କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ଆଜି କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଏବଂ ମୟୂରଭଂଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି।