ବିପ୍ଲବୀ ପରିକ୍ରମା ଡିଜିଟାଲ :- ଖସିବ ସର୍ବନିମ୍ନ ତାପମାତ୍ରା, ବଢିବ ଶୀତ । ଆଜି ଠାରୁ ତାପମାତ୍ରାରେ ହ୍ରାସ ପାଇବା ସହ ଆଗାମୀ ୩ ଦିନରେ ୩ ରୁ ୫ ଡିଗ୍ରୀ କମିବ ରାତ୍ରି ତାପମାତ୍ରା ଓ ପୁଣି ଶୀତର ଅନୁଭୂତି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାସହ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବା ନେଇ ବିଭାଗ ସୂଚନା ଦେଇଛି ।ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଦେବଗଡ ଓ କେନ୍ଦୁଝରରେ ଶୀତର ପ୍ରକୋପ ଅଧିକ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । “ଡିସେମ୍ବର ମାସ ୯ ତାରିଖ ହେଲାଣି କିନ୍ତୁ ଚଳିତ ବର୍ଷ ଶୀତ ନାହିଁ । ସବୁ ବର୍ଷ ଏହି ସମୟରେ ରାଜ୍ୟରେ ପ୍ରବଲ ଶୀତ ଲହରୀ ଅନୁଭୂତ ହୋଇଥାଏ । କିନ୍ତୁ ବଙ୍ଗୋପସାଗରରେ ବାରମ୍ବାର ସିଷ୍ଟମ ପାଇଁ ଏବର୍ଷ ସାମାନ୍ୟ ଶୀତ ରହିଛି” ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ବାୟୁର ଦିଗ ପରିବର୍ତ୍ତନ ସହ ପାଗରେ ପରିବର୍ତ୍ତନ ହେବ । ଆଜି ରାତିଠାରୁ ସର୍ବନିମ୍ନ ରାତ୍ରି ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢିବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।