ଗୁମ୍ମା ( ବିପ୍ଲବୀ ପରିକ୍ରମା ):-:ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ ଗୁମ୍ମା ବ୍ଲକ ତାରଙ୍ଗଡା ପଞ୍ଚାୟତର ପାରଶମ୍ଵା ଠାରେ ଅଖିଳ ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ମିଳିତ ଭାବେ ସମାବେଶର ଆୟୋଜନ କରାଯାଇଥିଲା । ସଙ୍ଗଠନର ଜିଲ୍ଲା କମିଟି ସଭ୍ୟ ତଥା ବରିଷ୍ଠ ଆଦିବାସୀ ନେତା କାଡୁକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ଅଖିଳ ଭାରତ ଆଦିବାସୀ ସଭାର ଆବାହକ କେଦାର ଶବର ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧି ନୀତି ଯୋଗୁଁ ଆଦିବାସୀମାନେ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି କହିଥିଲେ । ସରକାର ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦ ଉପରେ ଆଦିବାସୀଙ୍କୁ ଅଧିକାର ଦେବା ବଦଳରେ ବଡ ବଡ କମ୍ପାନୀଙ୍କ ସ୍ଵାର୍ଥରେ ସେସବୁକୁ ଛଡେଇବାରେ ଲାଗିଛନ୍ତି ବୋଲି କହିଥିଲେ । ବିକାଶ ନାଁରେ ଆଦିବାସୀଙ୍କ ଜମି, ଜଙ୍ଗଲ, ପରିବେଶ ଓ ଜୀବିକାକୁ ଛଡେଇବାକୁ ପ୍ରତିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ ।
ଓଡ଼ିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ଆଦିବାସୀ ହୋଇଥିଲେ ବି ସରକାର ସେମାନଙ୍କ ଭାଷା, ଲିପି ଓ ସଂସ୍କୃତିର ବିକାଶ ଦିଗରେ କୌଣସି ଉଦ୍ୟମ ନକରିବା ଫଳରେ ଅନେକ ଆଦିବାସୀ ସମ୍ପ୍ରଦାୟ ଓ ସେମାନଙ୍କ ଭାଷା ନିଶ୍ଚିହ୍ନ ହେବାକୁ ବସିଛି ବୋଲି କହିଥିଲେ । ଅତଏବ ଆଦିବାସୀମାନେ ନିଜର ଜମି, ଜଙ୍ଗଲ ଓ ଜୀବିକାର ସୁରକ୍ଷା ସହ ଭାଷା ଓ ସଂସ୍କୃତିର ସୁରକ୍ଷା କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା ସୁମ୍ବାରା ଶବର, ସୁଙ୍କା ଶବର, ଗଣେଶ୍ବରୀ ଶବର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।