ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସାମ୍ବାଦିକ ଓ ଗଣବିଭାଗ ମହଲରେ ଦୁଃଖର ଛାୟା ଖେଳିଯାଇଛି l ରାୟଗଡ଼ା ନ୍ୟୁଜ୍18 ଓଡ଼ିଆ ପ୍ରତିନିଧି ଗଜମୋହନ ଗରଡ଼ିଆ ଆଉ ନାହାନ୍ତି । ହୃଦଘାତରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା । ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ହେବାରୁ ସେ ଚିକିତ୍ସା ପାଇଁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି l
ଜଣେ ନିର୍ଭିକ ଯୁବ ସାମ୍ବାଦିକ ଭାବେ ଗଜମୋହନ ପରିଚିତ ଥିଲେ। ସ୍ନେହୀ ଏବଂ ମେଳାପି ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ଏହାସହ ସ୍ଥାନୀୟ ଭାଷାରେ ବି ଅନେକ ଆଲବମ୍ରେ ସେ ଅଭିନୟ କରିଥିଲେ । ପତ୍ନୀ ଏବଂ ଏକମାତ୍ର ଛୋଟ ଝିଅକୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଗଜମୋହନ । ତାଙ୍କର ଅକାଳ ବିୟୋଗକୁ ନେଇ ନ୍ୟୁଜ18 ପରିବାର ମର୍ମାହତ ତା’ସହ ଓଡ଼ିଶାର ସମଗ୍ର ସାମ୍ବାଦିକ ମହଲରେ ଶୋକର ପରିବେଶ ସୃଷ୍ଟି ହୋଇଛି l