ଗୋପାଳପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗୋପାଳପୁରରେ ଲଜ୍ଜା । ପୁରୁଷ ବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଗୋପାଳପୁର ଥାନା ଅଭିଯୋଗ ହେବା ପରେ ଘଟଣାକୁ ପୋଲିସ ଗୁରୁତର ସହ ନେଇ ତନାଘନା ଆରମ୍ଭ କରିଛି ।ଏହି ଘଟଣାରେ ପୋଲିସ ସନ୍ଦେହରେ ମୋଟ ସାତ ଜଣ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।ରବିବାର ରାତିରେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୭ଜଣକୁ ଥାନାରେ ଅଟକ ପଚରାଉଚରା କରୁଛି । ତଦନ୍ତ ସମୟରେ ଏହି ଘଟଣାରେ ୧୦ଜଣ ଯୁବକଙ୍କ ସମ୍ପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି ।
ସୋମବାର ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ସର୍ବଣା ବିବେକ ଏମ୍ ଗୋପାଳପୁର ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି ।ଏପରିକି ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ୍ ,ଥାନାଧିକାରୀ ଓ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଘଟଣା ସ୍ଥଳ ପରିଦର୍ଶନ କରିଥିବା ଜଣାପଡିଛି । ସେପଟେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଅଭିଯୁକ୍ତ ଫେରାର ରହିଥିବା ବେଳେ ତାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଏଭଳି ଘଟଣା ବଢିବାରେ ଲାଗିଛି ।ଗତ ୩ ତାରିଖ ଦିନ ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ବେଳେ ୭ ତାରିଖରେ ଚାରି ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ସେହିପରି ଗତ ୧୧ ତାରିଖ ଦିନ ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ପିଶାଚ ବାପା ନିଜ ଝିଅ ସହ କୁକର୍ମ କରିବା ଅଭିଯୋଗରେ ଗିରଫ ହୋଇଛି ।ଏବେ ପୁଣି ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।