ଅଶାନ୍ତ ହୋଇପଡିଛି ରାଜସ୍ଥାନ

0

ବିକ୍ଳଵୀ ପରିକ୍ରମା ବ୍ୟୁରୋ :- ଅଶାନ୍ତ ହୋଇପଡିଛି ରାଜସ୍ଥାନ। କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ନିର୍ମମ ହତ୍ୟା କରିବା ଘଟଣାରେ ତୀବ୍ର ବିରୋଧ ହୋଇଛି । ଗତ ମଙ୍ଗଳବାର ରାଜସ୍ଥାନର ଜୟପୁରରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ତିନି ଜଣ ଆତତାୟୀ ସୁଖଦେବଙ୍କୁ ତାଙ୍କ ଜୟପୁର ଶ୍ୟାମନଗର ସ୍ଥିତ ବାସଭବନରେ ଅତି ନିକଟରୁ ଗୁଳି ମାରିଥିବା ବେଳେ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି,ଯାହାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି।ପ୍ରତିବାଦରେ ଆଜି ରାଜସ୍ଥାନ ବନ୍ଦ ଡ଼ାକରା ଦେଇଛି ରାଷ୍ଟ୍ରୀୟ ରାଜପୁତ କରଣୀ ସେନା। ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଏବଂ ଏନଆଇଏ ଦ୍ୱାରା ଅନୁସନ୍ଧାନ କରିବା ଦାବିରେ ସାରା ରାଜ୍ୟରେ ବନ୍ଦ ପାଳନ କରାଯାଇଛି। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ମଧ୍ୟ ବନ୍ଦ କରାଯାଇଛି। ଜୟପୁର, ଯୋଧପୁର, ଅଲୱର୍, ଜୈସଲମେର୍, ଭିଲାୱାରା, ଶାହପୁର ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ, ଅପରାଧିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି କରଣୀ ସେନା। କରଣୀ ସେନା ସଭାପତି ସୁରଜ ପାଲ୍ ଅମ୍ମୁ କହିଛନ୍ତି, ପୋଲିସ୍ ଷ୍ଟେସନର ୫୦୦ ମିଟର ଦୂରରେ ଏଭଳି ହତ୍ୟାକାଣ୍ଡ ଘଟିଛି। ଏଥିପାଇଁ ଅଶୋକ ଗେହଲଟଙ୍କ ସରକାର ଦାୟୀ କରି ସାରା ରାଜ୍ୟରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ, ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। ସେପଟେ, ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଥିବା ବେଳେ, ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନିରପେକ୍ଷ ତଦନ୍ତ ମଧ୍ୟ ଦାବି କରାଯାଇଛି।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିବାବେଳେ ହିଂସା ଉସକାଉଥିବା କଥାକୁ ବିଶ୍ୱାସ ନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛି ପୋଲିସ୍। ଯଥାଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ୍ କହିଛି । ସେପଟେ, ଘଟଣାକୁ ନେଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା ଥିବାରୁ ସଜାଗ ରହିବାକୁ ରାଜ୍ୟର ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ରାଜ୍ୟ ସୀମାରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାବେଳେ ସୋସିଆଲ ମିଡ଼ିଆ ଉପରେ କଡ଼ା ନଜର ରଖାଯାଇ ଆପତ୍ତିଜନକ ପୋଷ୍ଟ ତୁରନ୍ତ ହଟାଇବାକୁ କୁହାଯାଇଛି। ଏଥିସହ ହିଂସା ଉସକାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିରପେକ୍ଷ ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିବା କହିଛନ୍ତି ଡିଜିନି ଉମେଶ ମିଶ୍ରା।

ସେପଟେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ରୋହିତ୍ ଗୋଦାରା ସୁଖଦେବଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ହତ୍ୟାକାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର୍ ହାତ ଥିବା ସ୍ପଷ୍ଟ ହୋଇସାରିଥିବା ବେଳେ, ଗୁଳି ଚଳାଇଥିବା ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ରୋହିତ୍ ରାଠୋଡ଼ ଓ ନୀତିନ ଫୌଜି। ମୋବାଇଲରୁ ତଥ୍ୟ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଗିରଫ କରିବା ପାଇଁ ଭିନ୍ନ ଚଢାଉ ଜାରି ରହିଥିବା କହିଛି ରାଜସ୍ଥାନ ପୋଲିସ୍।

 

LEAVE A REPLY

Please enter your comment!
Please enter your name here