ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଳନ କରିଛି ୫୮ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ । ଏହି ଅବସରରେ ସାହିତ୍ୟିକ ହରପ୍ରସାଦ ଦାସଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ସେହିପରି ଲୋକନୃତ୍ୟ କୃଷ୍ଣ ଲୀଳା ଗାୟକ ଗୋପୀନାଥ ସ୍ବାଇଁ ଓ ଗାହାଣୀ ଲୋକ କଳା ଗାୟକ ଅଭିମନ୍ୟୁ ରାଉତଙ୍କୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ୍ କାମାକ୍ଷୀ ପ୍ରସାଦ ଦାସ ଓ ନାଟ୍ୟକାର ବିପିନ ମହାପାତ୍ରଙ୍କୁ ଅଙ୍ଗବସ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଓଡ଼ିଶୀ ନୃତ୍ୟ ପାଇଁ ଗୁରୁ ଶୀକତା ଦାସଙ୍କୁ ଆଲୁମିନୀ ସମ୍ମାନରେ ସମ୍ମାନିତ କରିଥିଲେ ଉପସ୍ଥିତ ଥିବା ଅତିଥି ମାନେ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଁ ନିଜକୁ ବେଶ ଗର୍ବିତ ଲାଗୁଥିବା ବେଳେ ବର୍ତ୍ତମାନର ଯୁବପିଢ଼ି ମାନେ ପରମ୍ପରା ସହ ଆଧୁନିକତାକୁ ତାଳ ଦେଇ ଚାଲିବା ଉଚିତ । ଆଧୁନିକତାର ସ୍ପର୍ଷରେ ପରମ୍ପରାକୁ ଆଦୌ ଭୁଲିଯିବା ନାହିଁ । କାରଣ ଭାରତୀୟ ଭାବେ ଭାରତକୁ ନେଇ ଗର୍ବ କରିବା ଯେଭଳି ଯଥାର୍ଥ ଠିକ୍ ସେହିପରି ଆମର ପରମ୍ପରା ହିଁ ଆମର ପରିଚୟ ବୋଲି ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ କହିଥିଲେ ସାହିତ୍ୟିକ ହରପ୍ରସାଦ ଦାସ ।
ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡ଼ି ପଣ୍ଡିତ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଓ ଗତବର୍ଷର ବିଭିନ୍ନ ପାଠ୍ୟକ୍ରମରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।